ବଢ଼ୁଛି ‘ଲିଚ ଥେରାପି’ ଚାହିଦା ଜୋକ ଦେଉଛି ନୂଆ ଜୀବନ, ମାତ୍ର ୫୦ ଟଙ୍କାରେ ଭଲ ହେଉଛି ରୋଗ
ଭୁବନେଶ୍ଗର: ରୋଗ ଭଲ କରୁଛି ଜୋକ। ମାତ୍ର ୫୦ ଟଙ୍କାରେ ଭଲ ହେଉଛି ରୋଗ। ଆଜିକାଲି ଲିଚ ଥେରାପି ବା ଜୋକ ଚିକିତ୍ସାର ଚାହିଦା ଧୀରେ ଧୀରେ ବଢ଼ୁଥିବାବେଳେ ଫ୍ୟାଲେରିଆ ଓ ଡାଇବେଟିକ ଫୁଟ ରୋଗୀଙ୍କ ପାଇଁ ଏହା ରାମବାଣ ବୋଲି କୁହାଯାଉଛି। ଫିଜିଓଥେରାପି, ଆକୁଆଥେରାପି, ଅକ୍ୟୁପ୍ରେସର ଥେରାପି ଭଳି ଲିଚ ଥେରାପି ବା ଜୋକ ଚିକିତ୍ସା ରହିଛି। ଯଦି ଶରୀରରେ କୌଣସି କ୍ଷତ ବା ଅଲସର ଦୀର୍ଘ ଦିନ ଧରି ଶୁଖୁନି, ତେବେ ଏଭଳି ରୋଗ ପାଇଁ ଜୋକ ଥେରାପି କରାଯାଏ ବୋଲି ଏହି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଏବେ ଲିଚ ଥେରାପି ଚିକିତ୍ସା ସୁବିଧା ଭୁବନେଶ୍ବର କେନ୍ଦ୍ରୀୟ ଆୟୁର୍ବେଦିକ ପ୍ରତିଷ୍ଠାନରେ ସୁବିଧାରେ ମିଳୁଛି। ମାତ୍ର ୫୦ ଟଙ୍କା ରୋଗ ଭଲ ହେଉଥିବା କହିଛନ୍ତି ଡାକ୍ତର। ୬ ମାସ ମଧ୍ୟରେ ୨୦୦ରୁ ଅଧିକ ରୋଗୀ ଏହି ଲିଚ ଥେରାପି ବା ଜୋକ ଥେରାପି କରି ସଫଳ ହୋଇଛନ୍ତି।
ଭୁବନେଶ୍ବର କେନ୍ଦ୍ରୀୟ ଆୟୁର୍ବେଦିକ ପ୍ରତିଷ୍ଠାନରେ ଦିଆଯାଉଛି ଲିଚ ଥେରାପି ବା ଜୋକ ଚିକିତ୍ସା। ଏଥିପାଇଁ ଜୋକଗୁଡ଼ିକୁ ଆବଶ୍ୟକୀୟ ଲାଇଟ, ତାପମାତ୍ରା, ପ୍ରକୃଷ୍ଟ ସ୍ଥାନର ସନ୍ତୁଳନ କରି କାଚ ବକ୍ସ ଭିତରେ ରଖାଯାଉଛି। କାଦୁଅ ଓ ପାଣି ସମାନ ଅନୁପାତରେ ଏମାନଙ୍କୁ ରଖାଯାଇଥାଏ। ଜୋକକୁ ରଖିବା ପାଇଁ ଭୁବନେଶ୍ବର କେନ୍ଦ୍ରୀୟ ଆୟୁର୍ବେଦିକ ପ୍ରତିଷ୍ଠାନରେ ସୁବ୍ୟବସ୍ଥା କରାଯାଇଛି। ଜୋକ ଚିକିତ୍ସା ଏକ ଆୟୁର୍ବେଦ ଚିକିତ୍ସା ଉପକ୍ରମ ବୋଲି କହିଛନ୍ତି ଗବେଷଣା ଅଧିକାରୀ ଡାକ୍ତର କ୍ଷୀରୋଦ ରଥ। ଆୟୁର୍ବେଦରେ ଏହା ହଜାର ବର୍ଷ ତଳର ଚିକିତ୍ସା । ଏବେ ଏହା ମାଧ୍ୟମରେ ରୋଗୀଙ୍କୁ ଉପଶମ କରିବା ପାଇଁ ଚେଷ୍ଟା କରାଯାଉଛି ବୋଲି ଡାକ୍ତର କହିଛନ୍ତି। ଜୋକ ସାଧାରଣତଃ ସୁବିଧାରେ ମିଳୁ ନଥିବାରୁ ଆଇସିଆର ସିଫାର ମିଳିତ ଉଦ୍ୟମରେ ଲ୍ୟାବରେ ଜୋକର ବଂଶ ବୃଦ୍ଧି କରାଯାଉଛି। ଷ୍ଟେରାଇଲ ଲିଚ୍ ଦ୍ବାରା ଏଠାରେ ଚିକିତ୍ସା କରାଯାଉଛି। ଯଦ୍ବାରା ଲୋକଙ୍କ କ୍ଷତି କମ ହେବ, ରୋଗ ଭଲ ହୋଇଥାଏ। ଅନ୍ୟ ସାଧାରଣ ଜୋକ ଦ୍ବାରା ଚିକିତ୍ସା କଲେ ଇନଫେକ୍ସନ ହେବାର ସମ୍ଭାବନା ଥାଏ ବୋଲି ସେ କହିଛନ୍ତି। ସ୍କିନ ଅଲସର, କ୍ରୋନିକ ଅଲସର, ଦୀର୍ଘ ଦିନ ଧରି ଶୁଖୁ ନଥିବା ଘା ଆଦି ଜୋକ ଥେରାପି ଦ୍ବାରା ଚିକିତ୍ସା କରାଯାଇଥାଏ। ଏହାସହ ଭେନସ ଅଲସର ବା ଭେନସ ଷ୍ଟାଟିସ ଓ ହାଏପର ପିଗମେଣ୍ଟସନ ଚିକିତ୍ସା ପାଇଁ ଲିଚ ଥେରାପିର ବ୍ୟବହାର କରାଯାଇଥାଏ। ଜୋକ ଲାଗିଲେ ସାଧାରଣତଃ ବ୍ଲିଡିଂ ହୋଇଥାଏ, ସେନେଇ ତର୍ଜମା କରି ଚିକିତ୍ସା ଆରମ୍ଭ କରାଯାଇଥାଏ ବୋଲି ଡାକ୍ତର କହିଛନ୍ତି।ଛୋଟ, ମଧ୍ୟମ ଓ ବଡ଼ ସାଇଜର ଜୋକ ଥାଏ। ରୋଗୀଙ୍କୁ ଦେଖି ଜୋକ ଲଗାଯାଇଥାଏ। ରୋଗୀ ରୋଗକୁ ଦେଖି ଏଭଳି ଜୋକ ଲଗାଯାଇଥାଏ ବୋଲି ଡାକ୍ତର କହିଛନ୍ତି। ଗୋଟିଏ ଜୋକ ଗୋଟିଏ ଲୋକଙ୍କୁ ହିଁ ଲଗାଯାଇଥାଏ। ସେହି ଜୋକକୁ ଅନ୍ୟ ରୋଗୀଙ୍କୁ ଲଗାଯାଇ ପାରିବ ନାହିଁ ବୋଲି ଡାକ୍ତର କହିଛନ୍ତି। ଲିଚ ଥେରାପି ପୂର୍ବରୁ ରୋଗୀର ରୋଗ ବିଷୟରେ ପୁରା ଜାଣିବା ଜରୁରୀ। ତାପରେ ଚିକିତ୍ସା ଆରମ୍ଭ ହୋଇଥାଏ। ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଡାକ୍ତର କହିଛନ୍ତି।

