ଜାତୀୟତାଜା ଖବର

“ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ବିଜେପି ସରକାର ଆସିବା ପରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ତଡ଼ିପାର କରାଯାଉଛି। ଏହି ଅନୁପ୍ରବେଶକାରୀ ଏବେ ଓଡ଼ିଶା ମୁହାଁ ହେବା ଆଶଙ୍କା ଥିବାବେଳେ ଏନେଇ ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଛି। ରାଜ୍ୟର ଉପକୂଳରେ ସୁରକ୍ଷା ନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି। ଆଜି ପୋଲିସ ଭବନଠାରେ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ–୨୦୨୬” ଆୟୋଜିତ ହୋଇଯାଇଛି। “ଉପକୂଳ ସୁରକ୍ଷା ବ୍ୟବସ୍ଥା: ସମସ୍ୟା, ସମାଧାନ ଓ ଆଗାମୀ ପଦକ୍ଷେପ” ଶୀର୍ଷକକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ଉପକୂଳ ସୁରକ୍ଷା ବ୍ୟବସ୍ଥାର ବର୍ତ୍ତମାନ ସ୍ଥିତି, ପ୍ରମୁଖ ଚ୍ୟାଲେଞ୍ଜ, ସମ୍ଭାବ୍ୟ ସମାଧାନ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ, ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। ରାଜ୍ୟର ଅର୍ଥନୈତିକ ବିକାଶ, ସାମୁଦ୍ରିକ ବାଣିଜ୍ୟ ଏବଂ ଜନସୁରକ୍ଷା ସହ ଏହା ନିବିଡ଼ ଭାବେ ସମ୍ପୃକ୍ତ। ଓଡ଼ିଶାର ୫୭୪.୭ କିଲୋମିଟର ଦୀର୍ଘ ଉପକୂଳ ଏବଂ ପାରାଦୀପ, ଧାମରା ଓ ଗୋପାଳପୁର ଭଳି ପ୍ରମୁଖ ବନ୍ଦରଗୁଡ଼ିକ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଉପକୂଳ ଅଞ୍ଚଳର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ବୋଲି ସେ ମତପ୍ରକାଶ କରିଥିଲେ। ଡିଜିପି ଶ୍ରୀ ଖୁରାନିଆ କହିଥିଲେ ଯେ, ଉପକୂଳ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ପୋଲିସ ଗତ କିଛି ବର୍ଷ ମଧ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ବର୍ତ୍ତମାନ ଉପକୂଳ ଅଞ୍ଚଳରେ ଥିବା ୧୮ଟି ମେରାଇନ ପୋଲିସ ଥାନାରେ ୭୦୦ରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି। ଏହାସହ ୧୫ଟି ଫାଷ୍ଟ ଇଣ୍ଟରସେପ୍ଟର ବୋଟ୍, ୫ଟି ଡ୍ରୋନ୍ ଏବଂ ୫ଟି ଭଡ଼ା ଟ୍ରଲର ମାଧ୍ୟମରେ ସାମୁଦ୍ରିକ ପାଟ୍ରୋଲିଂକୁ ସୁଦୃଢ଼ କରାଯାଇଛି। ଭୁବନେଶ୍ୱରରେ ଅବସ୍ଥାପିତ ଥିବା କମାଣ୍ଡ, କଣ୍ଟ୍ରୋଲ ଓ ଟ୍ରେନିଂ ସେଣ୍ଟର ଉପକୂଳ ସୁରକ୍ଷା କାର୍ଯ୍ୟକଳାପର ସମନ୍ୱୟ ଏବଂ ନିରୀକ୍ଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି। ସେହିପରି ‘ନାଭାମିତ୍ର’ ଆପ୍ ମାଧ୍ୟମରେ ମାଛଧରା ଡଙ୍ଗାଗୁଡ଼ିକର ଗତିବିଧି ଉପରେ ନଜର ରଖାଯାଉଛି ଏବଂ ଅବସରପ୍ରାପ୍ତ ନୌସେନା ଓ ତଟରକ୍ଷୀ ବାହିନୀର ଅଧିକାରୀମାନଙ୍କ ସେବାକୁ ମଧ୍ୟ ଏହି ବ୍ୟବସ୍ଥାରେ ସାମିଲ କରାଯାଇଛି।

Leave a Reply

Your email address will not be published. Required fields are marked *