ଫି’ ବଢ଼ାଇଲେ ସୂର୍ଯ୍ୟବଂଶୀ !
ନୂଆଦିଲ୍ଲୀ: ଏଥର ଆଇପିଏଲରେ ଧମାକାଦାର ପରଫର୍ମ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ତାଙ୍କ ବିସ୍ଫୋରକ ବ୍ୟାଟିଂ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। କିଛି ଲୋକ କହୁଛନ୍ତି ଯେ, ଯଦି ସେ ଆଇପିଏଲ ଅକ୍ସନରେ ସାମିଲ ହେବ, ତା’ହେଲେ ତାଙ୍କ ପାଇଁ ୩୦ କୋଟି ଯାଏ ବିଡ ଲାଗିପାରେ। ବର୍ତ୍ତମାନ ସେ ବାର୍ଷିକ ୧.୧ କୋଟି କଣ୍ଟ୍ରାକ୍ଟରେ ରହିଛନ୍ତି। ରାଜସ୍ଥାନ ରୟାଲନ୍ସ ପାଇଁ ସେ ଆହୁରି ଗୋଟିଏ ବର୍ଷ ଖେଳିବେ। ଏହାପରେ ତାଙ୍କ ଆଇପିଏଲ ଦରମା ବଦଳି ପାରେ। ହେଲେ ବିଜ୍ଞାପନ ଜଗତରେ ଏବେ ସୂର୍ଯ୍ୟବଂଶୀଙ୍କୁ ନେଇ ଜୋରଦାର ଚର୍ଚ୍ଚା। କାରଣ ୧୫ ବର୍ଷୀୟ ସୂର୍ଯ୍ୟବଂଶୀ ବିଜ୍ଞାପନ ପାଇଁ ନିଜର ଫି’କୁ ଦୁଇ ଗୁଣ କରି ଦେଇଛନ୍ତି। ବିଜ୍ଞାପନ ସହ କୌଣସି ବ୍ରାଣ୍ଡ ସହ ଭାଗିଦାରୀ ପାଇଁ ସୂର୍ଯ୍ୟବଂଶୀ ନେଉଥିବା ଫି’ ୨୦୨୬ ଆଇପିଏଲ ପରେ ବଢ଼ି ଯାଇଛି। ୨୦୨୬ ଆଇପିଏଲରେ ସୂର୍ଯ୍ୟବଂଶୀ ୭୭୬ ରନ କରିଥିଲେ। ତାଙ୍କ ଷ୍ଟ୍ରାଇକ ରେଟ୍ ୨୩୭.୩୦ ରହିଥିଲା। ଏଥିପାଇଁ ସେ ସବୁଠାରୁ ମୂଲ୍ୟବାନ ଖେଳାଳି ଭାବେ ୧୫ ଲକ୍ଷ, କମଳା ରଙ୍ଗର ଟୋପି(ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ ହାସଲକାରୀ) ପାଇଁ ୧୦ ଲକ୍ଷ, ସୁପର ଷ୍ଟ୍ରାଇକର ଅଫ ଦି ସିଜିନ ପାଇଁ ୧୦ ଲକ୍ଷ ଟଙ୍କା ଓ ଟାଟା ସିଆରା କାର୍, ସୁପର ସିକ୍ସେସ ଅଫ ଦି ସିଜିନ ପାଇଁ ୧୦ ଲକ୍ଷ( ୭୨ଟି ଛକା) ଓ ଏମର୍ଜିଂ ପ୍ଲେୟାର ଅଫ ଦି ସିଜିନ ପାଇଁ ୧୦ ଲକ୍ଷ ଟଙ୍କା ପାଇଥିଲେ। ବାର୍ଷିକ ରିଟେନ ଦାମ ୧.୧୦ କୋଟି ଓ ବ୍ୟକ୍ତିଗତ ପୁରସ୍କାର ବାବଦରେ ବୈଭବଙ୍କୁ ମିଳିଛି ୫୫ ଲକ୍ଷ ଟଙ୍କା। ଏହାସହ ଆଇପିଏଲର ପ୍ରତିଟି ମ୍ୟାଚ୍ ପାଇଁ ତାଙ୍କୁ ୭.୫ ଲକ୍ଷ ଟଙ୍କା ଲେଖାଏ ମ୍ୟାଚ୍ ଫି’ ଆକାରେ ମିଳିଛି। ସେ ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ୧୬ଟି ମ୍ୟାଚ୍ ଖେଳିଛନ୍ତି। ଏହାର ଅର୍ଥ ମ୍ୟାଚ୍ ଫି’ ବାବଦରେ ତାଙ୍କୁ ୧.୨୦ କୋଟି ଟଙ୍କା ଦିଆଯାଇଛି। ବୈଭବ ବିଭିନ୍ନ ମ୍ୟାଚ୍ରେ ନିଜର ବ୍ୟକ୍ତିଗତ ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦି ମ୍ୟାଚ୍ ଓ ଅନ୍ୟ ପୁରସ୍କାର ମଧ୍ୟ ଜିତିଛନ୍ତି। ସେ ଏକାଧିକ ଥର ମ୍ୟାନ ଅଫ ଦି ମ୍ୟାଚ୍, ମ୍ୟାଚ୍ରେ ସର୍ବାଧିକ ଛକା ମାରିବା ପାଇଁ ୧ ଲକ୍ଷ ଟଙ୍କା ଲେଖାଏ ପାଇଥିଲେ। ମୋଟ ଉପରେ ବୈଭବ ଚଳିତ ଆଇପିଏଲରେ ୨.୫୦ କୋଟିରୁ ଅଧିକ ଟଙ୍କା ଜିତିଛନ୍ତି।

