ବିଜେପିରୁ ଆନ୍ନାମଲାଇଙ୍କ ଇସ୍ତଫା
ନୂଆଦିଲ୍ଲୀ,୨।୬: ତାମିଲନାଡୁର ପୂର୍ବତନ ବିଜେପି ମୁଖ୍ୟ କେ. ଆନ୍ନାମଲାଇଙ୍କ ବଡ଼ ନିଷ୍ପତ୍ତି। ମଙ୍ଗଳବାର ସେ ବିଜେପିରୁ ଇସ୍ତଫା ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସୁତ୍ରରୁ ମିଳିଥିବା ଖବର ଅନୁସାରେ, ନୀତିନ ନବୀନ ଓ ସଂଗଠନର ମହାସଚିବ ବିଏଲ୍ ସନ୍ତୋଷଙ୍କ ସହ ହୋଇଥିବା ବୈଠକରେ ଆନ୍ନାମଲ୍ଲାଇ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଦଳରୁ ଇସ୍ତଫା ଦେବାର ଇଚ୍ଛା ପ୍ରକାଶ କରିଥିଲେ। ସେ ସ୍ପଷ୍ଟ ଭାବରେ କହିଥିଲେ, ଏବେ ସେ ନିଜର ରାସ୍ତା ନିଜେ ତିଆରି କରିବାକୁ ଚାହାନ୍ତି। ପାର୍ଟି ସୁତ୍ରର କହିବା ଅନୁସାରେ, ବିଜେପିର ବଡ଼ ନେତା ଆନ୍ନାମଲାଇଙ୍କୁ ରୋକିବାକୁ ମଧ୍ୟ ଚେଷ୍ଟା କରିଥିଲେ। କାରଣ ତାଙ୍କୁ ରାଷ୍ଟ୍ରୀୟ ସ୍ତରର ଗୁରୁତ୍ବପୂର୍ଣ୍ଣ ଭୂମିକା ପ୍ରଦାନ କରାଯିବାର ମଧ୍ୟ ଚର୍ଚ୍ଚା ଥିଲା। ଅନ୍ନାମଲାଇ ଦୀର୍ଘ ଦିନ ଧରି ତାମିଲନାଡୁରେ ବିଜେପିର ଏକ ପ୍ରମୁଖ ଚେହେରା ରହିଆସିଛନ୍ତି। ସେ ଏବେ ଏକ ନୂତନ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଖୁବ୍ ଶୀଘ୍ର ତାଙ୍କର ନୂତନ ଦଳ ଘୋଷଣା କରିବେ ବୋଲି ଆଶା କରାଯାଉଛି। ଆଇପିଏସ୍ ଅଧିକାରୀରୁ ରାଜନେତା ହୋଇଥିବା ଅନ୍ନାମଲାଇ ୨୦୨୦ ରେ ବିଜେପିରେ ଯୋଗ ଦେଇଥିଲେ ଏବଂ ଶୀଘ୍ର ତାମିଲନାଡୁରେ ଦଳର ପ୍ରମୁଖ ନେତାମାନଙ୍କ ମଧ୍ୟରୁ ଜଣେ ହୋଇପାରିଥିଲେ। ୨୦୨୧ ରୁ ୨୦୨୫ ପର୍ଯ୍ୟନ୍ତ ରାଜ୍ୟ ବିଜେପି ସଭାପତି ଭାବରେ, ସେ ଅନେକ ରାଜ୍ୟସ୍ତରୀୟ ଅଭିଯାନର ନେତୃତ୍ୱ ନେଇଥିଲେ ଏବଂ ଯୁବ ଭୋଟର ଏବଂ ସୋସିଆଲ ମିଡିଆ ଫଲୋଅର୍ସଙ୍କ ମଧ୍ୟରେ ଏକ ଦୃଢ଼ ସମର୍ଥନ ଭିତ୍ତିଭୂମି ଗଠନ କରିଥିଲେ। ତେବେ ସେ ଆଗକୁ ବିଜେପିରେ ନିଜ ପାଇଁ ଭବିଷ୍ୟତ ଦେଖି ପାରିନଥିଲେ। ବିଜେପି ତାଙ୍କୁ ରାଜ୍ୟସଭା ଆସନ ପ୍ରଦାନ କରିଥିଲା, କିନ୍ତୁ ସେ ମନା କରିଦେଇଥିଲେ। ଅନ୍ନାମଲାଇ ଚାହୁଁଥିଲେ ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ୁ, କାରଣ ସେ ବିଶ୍ୱାସ କରୁଥିଲେ ଯେ ଦଳ ଗତ କିଛି ବର୍ଷ ମଧ୍ୟରେ ଏକ ଦୃଢ଼ ସ୍ଥିତି ହାସଲ କରିଛି। ତଥାପି, ବିଜେପି ନେତୃତ୍ୱ ଏଆଇଏଡିଏମକେ ସହିତ ପୁଣି ଥରେ ମେଣ୍ଟ ଆରମ୍ଭ କରିଥିଲେ, ଏହି ନିଷ୍ପତ୍ତିରେ ଅନ୍ନାମଲାଇ ଅସନ୍ତୁଷ୍ଟ ଥିଲେ।

