ଜାତୀୟତାଜା ଖବରରାଜ୍ୟ

ବିଜେପି ଶିବିର ଚଳଚଞ୍ଚଳ ଖୁବଶୀଘ୍ର ହୋଇପାରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ

ଭୁବନେଶ୍ବର, ୨୭|୫: ଖୁବ ଶୀଘ୍ର ହୋଇପାରେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ। ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭେଟିବା ପରେ  ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ରାଜ୍ୟ କ୍ୟାବିନେଟର ବି ବରିଷ୍ଠ ନେତା ଏନେଇ ସଙ୍କେତ ଦେଇ ସାରିଲେଣି। ଯାହାକୁ ନେଇ ଆଶାୟୀ ବିଧାୟକଙ୍କ ଛାତି ଧଡ଼ ଧଡ଼ ହେଉଥିବା ଜଣାପଡ଼ିଛି। ଅଭିଜ୍ଞତା ଓ ବିଶ୍ବାସ ଜିଣିଥିବାଙ୍କୁ ଅଗ୍ରାଧିକାର ମିଳିବ ବୋଲି ଚର୍ଚ୍ଚା ହେଉଛି। ଏଥର ମନ୍ତ୍ରୀ ମଣ୍ଡଳରେ ଯୁବ ବିଧାୟକଙ୍କୁ ସ୍ଥାନ ମିଳିବା ନେଇ କୁହାଯାଉଛି। ଅନ୍ୟପଟେ ପରଫରମାନ୍ସ ଖରାପ ଥିବା ମନ୍ତ୍ରୀମାନେ ବି ପତ୍ତା କଟିବା ନେଇ ଆଶଙ୍କାରେ ଅଛନ୍ତି । କାହାର ପତ୍ତା କଟିବ କାହାର ବିଭାଗ ବଦଳିବ ସେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ଯାହାକୁ ନେଇ ବିଜେପି ଶିବିରରେ ହଲଚଲ ଦେଖିବାକୁ ମିଳିଛି। ଆଉ କେଇଟା ଦିନ ପରେ ମୋହନ ସରକାର ପାଳିବେ ଦୁଇ ବର୍ଷ ପୂର୍ତ୍ତି ଉତ୍ସବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଦିଲ୍ଲୀ ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ଏହା ପୂର୍ବରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହେବାର ବଡ଼ ସଙ୍କେତ ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଦୀର୍ଘ ଦୁଇ ବର୍ଷ ହେବ ଅନେକ ବିଧାୟକ ମନ୍ତ୍ରୀ ପଦ ଆଶାରେ ଅପେକ୍ଷା କରି ରହିଛନ୍ତି । ଦୁଇ ବର୍ଷ ପୂର୍ତ୍ତିରେ ଏହି ସୁବର୍ଣ୍ଣ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “କୌଣସି ବି ମୁହୂର୍ତ୍ତରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ସମ୍ପ୍ରସାରଣ ହୋଇପାରେ । କେବଳ ସମ୍ପ୍ରସାରଣ ବିଷୟ ନୁହେଁ, ତାହା ସହିତ ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଦଳ ଓ ସରକାର ଏହାରି ଭିତରେ ଚୟନ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି । ସମ୍ଭବତଃ ଖୁବଶୀଘ୍ର ଏହା ଶେଷ ହେବ ।”ତେବେ କାହା ଭାଗ୍ୟକୁ ମନ୍ତ୍ରୀ ପଦ ଯାଉଛି ଆଉ କାହାର ପତ୍ତା କଟୁଛି ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *