୨ ଆନ୍ତଃରାଜ୍ୟ ମାଫିଆ ଗିରଫ, ୫୦ ଲକ୍ଷର ଗଞ୍ଜେଇ ଜବତ
ଭୁବନେଶ୍ୱର, ୧୨।୬: ଏସଟିଏଫ ପଞ୍ଝାରେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ। ୫୦ ଲକ୍ଷର ଗଞ୍ଜେଇ ଜବତ କରାଯାଇଥିବାବେଳେ ୨ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟରେ ଚୋରା ନିଶା କାରବାର ବିରୋଧରେ କ୍ରାଇମବ୍ରାଞ୍ଚର ଏସଟିଏଫ୍କୁ ଆଉ ଏକ ବଡ଼ ସଫଳତା ମିଳିଛି । ଓଡ଼ିଶାରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଏକ ବଡ଼ ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଏସଟିଏଫ। ଏହି ମାମଲାରେ ସଂପୃକ୍ତ ଥିବା ୨ ଜଣ ସକ୍ରିୟ ଚୋରା ବେପାରୀଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଏସଟିଏଫ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଟିମ୍ ପକ୍ଷରୁ ଏକ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଦୁଇ ଅଭିଯୁକ୍ତଙ୍କୁ କାବୁ କରାଯିବା ସହ ସେମାନଙ୍କ ନିକଟରୁ ବେଆଇନ ଭାବେ ଚାଲାଣ ହେଉଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଜବତ ହୋଇଥିବା ଗଞ୍ଜେଇକୁ ବାହାର ରାଜ୍ୟକୁ ପଠାଇବା ପାଇଁ ଯୋଜନା ଚାଲିଥିଲା। ଏହି ବେଆଇନ ନେଟୱର୍କର ମୁଖ୍ୟ କାର୍ପଟଦାର ବା ‘କିଙ୍ଗପିନ’ ଚଢ଼ାଉ ସମୟରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ତେବେ ତାକୁ ଗିରଫ କରିବା ପାଇଁ ଏସଟିଏଫ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବାହାର ରାଜ୍ୟକୁ ପଠାଯାଇଛି । ଅଭିଯୁକ୍ତମାନଙ୍କୁ ପ୍ରାଥମିକ ଜେରା କରିବା ପରେ ଏସଟିଏଫ୍ ହାତରେ କିଛି ଚାଞ୍ଚଲ୍ୟକର ତଥ୍ୟ ଲାଗିଛି। ମିଳିଥିବା ସୂଚନା ମୁତାବକ, ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗଟି ଗତ ଗୋଟିଏ ବର୍ଷ ମଧ୍ୟରେ ପ୍ରାୟ ୨୦ କୋଟି ଟଙ୍କାର ଗଞ୍ଜେଇ ଓଡ଼ିଶାରୁ ବାହାର ରାଜ୍ୟକୁ ଚୋରା ଚାଲାଣ କରିସାରିଛି । ଓଡ଼ିଶାର ବିଭିନ୍ନ ଆଞ୍ଚଳିକ ସ୍ଥାନରୁ ଗଞ୍ଜେଇ ସଂଗ୍ରହ କରାଯାଇ ପଡ଼ୋଶୀ ଏବଂ ଦୂରବର୍ତ୍ତୀ ରାଜ୍ୟଗୁଡ଼ିକୁ ସପ୍ଲାଏ କରାଯାଉଥିଲା। ଏସଟିଏଫ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଧରାପଡ଼ିଥିବା ଦୁଇ ଅଭିଯୁକ୍ତଙ୍କୁ ବର୍ତ୍ତମାନ ମାରାଥନ ଜେରା କରାଯାଉଛି । ଏହି ପୂରା ନେଟୱର୍କର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି, ତାହାର ଖୋଳତାଡ଼ ଜାରି ରହିଛି ।

