ଜାତୀୟରାଜ୍ୟ

ଆଜିଠୁ ଘର ଘର ବୁଲିବେ ବିଏଲଓ, ଜୁନ ୨୮ ଯାଏ ଚାଲିବ ସେପ୍ଟେମ୍ବର ୬ରେ ଚୂଡ଼ାନ୍ତ ଭୋଟର ତାଲିକା

ଭୁବନେଶ୍ବର, ୨୯|୫:  ଶନିବାରଠାରୁ ଆରମ୍ଭ ହେବ ଏସଆଇଆର ପ୍ରକ୍ରିୟା। ଏ ନେଇ ବିଏଲ୍ଓମାନେ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ। ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ. ଗୋପାଳନଙ୍କ ସୂଚନା ଦେଇଛନ୍ତି। ଜୁନ ୨୮ ଯାଏଁ ଏସଆଇଆର ଚାଲିବାକୁ ଥିବାବେଳେ ଏଥିପାଇଁ ବିଏଲଓଙ୍କୁ ଦିଆଯାଇଛି ସ୍ବତନ୍ତ୍ର ଟ୍ରେନିଂ। ସାମ୍ବାଦିକ ସମ୍ମିଳନୀ କରି ଏସ୍‌ଆଇଆର୍‌ ନେଇ ତଥ୍ୟ ରଖିଲେ ମୁଖ୍ୟ ନିର୍ବାଚନ ଅଧିକାରୀ। ରାଜ୍ୟରେ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଘର ବୁଲି ଗଣନା କରିବେ ବିଏଲଓ। ୪୫ ହଜାର ୨୫୫ ବ୍ଲକ ଲେବୁଲ୍‌ ଅଫିସର ନିଯୁକ୍ତି ହୋଇଛନ୍ତି। ଏହାସହ ୩୧ ହଜାର ୨୬ ବୁଥ ଲେବୁଲ ଏଜେଣ୍ଟ ମଧ୍ୟ ଦିଆଯାଇଛି। ପ୍ରତିଦିନ ସନ୍ଧ୍ୟାରେ ୩ଟାରୁ ୫ଟା ବୁଥ୍‌ରେ ଉପସ୍ଥିତ ରହିବେ ବିଏଲ୍‌ଓ। ସକାଳେ ଘର ଘର ବୁଲି ଗଣନା କରିବେ। ୯୫ ପ୍ରତିଶତ ଅର୍ଥାତ ୩ କୋଟି ୧୬୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଙ୍ଗ ସରିଛି। ୧୭ ପ୍ରତିଶତ ଲଜିକାଲ ଏରର ବାହାରିଛି। ବୟସ ତ୍ରୁଟି, ନାମ ତ୍ରୁଟି ଏବଂ ବାପାଙ୍କ ନାମ ତ୍ରୁଟି ଯୋଗୁଁ ଏରର ଆସୁଛି। ଘର ଘର ବୁଲିବାବେଳେ ତାକୁ ସଂଶୋଧନ କରିବେ ବିଏଲଓ। ମ୍ୟାପିଙ୍ଗ ସାରିଥିବା ଭୋଟର ନିଜର ଫଟୋ ଦେବେ ଏବଂ ସାଇନ କରିବେ। ଭୋଟର ଚାହିଁଲେ ନୂଆ ଫଟୋ ଦେଇ ପାରିବେ। ନିର୍ବାଚନ କମିସନଙ୍କ ଦ୍ବାରା ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ, ୦୧ ଜୁଲାଇ ୨୦୨୬ ଏସ ଆଇ ଆର ପାଇଁ ଯୋଗ୍ୟତା ତାରିଖ ଧାର୍ଯ୍ୟ କରାଯାଇଛି। ୨୯ ମଇ ୨୦୨୬ ସୁଦ୍ଧା ରାଜ୍ୟରେ  ପ୍ରିଣ୍ଟିଂ, ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଥିବାବେଳେ ବିଏଲଓ ମାନଙ୍କର ପ୍ରଶିକ୍ଷଣ ମଧ୍ୟ ଶେଷ ହୋଇଛି। ୩୦ ମଇ ରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବିଏଲଓମାନେ ନିର୍ବାଚକଙ୍କ ଘରକୁ ଯାଇ ପ୍ରତ୍ୟେକ ନିର୍ବାଚକ ପାଇଁ ଦୁଇଟି ପରିଗଣନା ଫର୍ମ ପ୍ରଦାନ କରିବେ। ଏଥିରେ ନିର୍ବାଚକଙ୍କ ବ୍ୟକ୍ତିଗତ ବିବରଣୀ, ପରିବାର ସଦସ୍ୟଙ୍କ ସୂଚନା ଏବଂ ୨୦୦୨ ମସିହାର ଭୋଟର ତାଲିକା ସମ୍ଭନ୍ଧୀୟ ତଥ୍ୟ ଦେବାକୁ ପଡିବ। ବିଏଲଓମାନେ ପରିଦର୍ଶନ ସମୟରେ ସେମାନଙ୍କର ତଥ୍ୟ ଯାଞ୍ଚ କରିବେ ଓ ସେମାନଙ୍କ ସାମାନ୍ୟ ତ୍ରୁଟିକୁ ସଂଶୋଧନ କରିବେ। ସେହିପରି ଜଣେ ବି ଯୋଗ୍ୟ ଭାରତୀୟ ଭୋଟର ଯେମିତି ବାଦ୍ ନ ପଡନ୍ତି ଓ ଅଯୋଗ୍ୟ ଭୋଟର ଯେମିତି ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନ ହୁଅନ୍ତି  ସେଥିପ୍ରତି ବିଏଲଓମାନଙ୍କୁ ସଜାଗ ରହିବାକୁ ଶ୍ରୀ ଗୋପାଳନ ନିର୍ଦ୍ଦେଶ ଦେଇଛନ୍ତି। ୨୮ ଜୁନ ୨୦୨୬ ସୁଦ୍ଧା ମତଦାନ କେନ୍ଦ୍ର ଗୁଡିକର ପୁନର୍ବିନ୍ୟାସ ପରେ ୦୫ ଜୁଲାଇରେ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ। ୦୫ ଜୁଲାଇ ରୁ ଅଗଷ୍ଟ ୦୪ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ସମୟସୀମା ଧାର୍ଯ୍ୟ ହୋଇଥିବା ବେଳେ,୦୫ ଜୁଲାଇ ୨୦୨୬ ରୁ ୦୨ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ନୋଟିସ ପର୍ଯ୍ୟାୟ ଦାବି ଓ ଆପତ୍ତିର ସମାଧାନ ଓ ୦୬ ସେପ୍ଟେମ୍ବର ୨୦୨୬ ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଭୋଟରମାନେ ଚାହିଁଲେ ନିର୍ବାଚନ କମିସନଙ୍କ ସରକାରୀ ୱେବସାଇଟ୍ (voters.eci.gov.in) ରୁ ଏହି ଫର୍ମ ଡାଉନଲୋଡ୍ କରିପାରିବେ ଏବଂ ପୂରଣ ପରେ ସେହି ପୋର୍ଟାଲ ମାଧ୍ୟମରେ ହିଁ ଅନଲାଇନ୍ ଅପଲୋଡ୍ କରିପାରିବେ । ସେହିପରି ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ ନିଯୁକ୍ତ ବୁଥ୍ ସ୍ବରୀୟ ଅଧୂକାରୀ ମାନଙ୍କ ସୁରକ୍ଷା ପାଇଁ ଏକ ସ୍ଵତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ସକାଳ ୬  ରୁ ଦିନ୧୧ ,ଅପରାହ୍ନ ୪ ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଫିଲଡ଼ ୱାର୍କ ଏବଂ  ଦିନ ୧୨ ରୁ ଅପରାହ୍ନ ୩ଟା ଯାଏଁ  ଫିଲଡ଼  ୱାର୍କ ନ କରିବାକୁ ନିଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *