ଏଲନିନୋ ପ୍ରଭାବ : ଚଳିତ ବର୍ଷ କମ ବର୍ଷା ପାଣିପାଗ ବିଭାଗର ଚେତାବନୀ , ଜୁନରେ ଭୟଙ୍କର ହିଟୱେଭ୍ ୫ ବର୍ଷରେ ରେକର୍ଡ ଭାଙ୍ଗିବ ତାତି: ବିଶ୍ବ ପାଣିପାଗ ସଂଗଠନ ପଶ୍ଚିମ ଓଡ଼ିଶାରେ ତାତିରୁ ନାହିଁ ନିସ୍ତାର
ଭୁବନେଶ୍ଵର, ୨୯|୫ : ଏଲନିନୋ ପ୍ରଭାବରେ ଦେଶରେ ଉପୁଜିପାରେ ମରୁଡ଼ି ପରିସ୍ଥିତି। ଦେଶର ବିଭିନ୍ନ ସ୍ଥାନରେ ସ୍ବାଭାବିକଠାରୁ କମ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହିପରି ଏଥର ଓଡ଼ିଶାରେ କମ୍ ବର୍ଷା ହେବା ନେଇ ଆକଳନ କରାଯାଇଛି। ଜୁନ୍ ରୁ ସେପ୍ଟେମ୍ଵର ମଧ୍ୟରେ ସ୍ଵାଭାବିକ ଠାରୁ କମ୍ ବର୍ଷା ହେବ। ଜୁନ୍ ରେ ସ୍ଵାଭାବିକ ଠାରୁ ୯୨ ପ୍ରତିଶତ କମ୍ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ଦେଶର ମଧ୍ୟ ଭାଗରେ ୯୪ ପ୍ରତିଶତ କମ୍ ବର୍ଷା ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେପଟେ ୧୬ ତାରିଖରେ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁ ସାରିଛି। ଏଲ୍-ନିନୋ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଥିବାବେଳେ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ରରେ ହିଟୱେଭ୍ ସତର୍କତା ଜାରି କରାଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ପୂର୍ବୋତ୍ତର ଭାରତରେ ସ୍ଵାଭାବିକ ବର୍ଷା ହେବ। ସେହିପରି ମଧ୍ୟପ୍ରଦେଶର, ମହାରାଷ୍ଟ୍ର ଏବଂ ଛତିଶଗଡ଼ରେ ସ୍ଵାଭାବିକ ଠାରୁ କମ୍ ବର୍ଷା ହେବ। ଏଥର ମୌସୁମୀର କୋର୍ ଅଞ୍ଚଳରେ ବି କମ୍ ବର୍ଷା ହେବ। ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ, ବିହାର, ଛତିଶଗଡ଼, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ତେଲେଙ୍ଗାନା ଏବଂ ତାମିଲନାଡୁର କିଛି ଅଞ୍ଚଳରେ ଭୟଙ୍କର ହିଟୱେଭ୍ ଅନୁଭୂତ ହେବ। ରାଜସ୍ଥାନ ଏବଂ ଝାଡ଼ଖଣ୍ଡରେ ସ୍ଵାଭାବିକ ଠାରୁ କମ୍ ହିଟୱେଭ୍ ଅନୁଭୂତ ହେବ। ଏହାଦ୍ଵାରା ଖରିଫ୍ ଚାଷ ପ୍ରଭାବିତ ହେବ। ଧାନ ବୁଣା ବେଳେ ଜଳ ସଙ୍କଟ ଦେଖାଦେବ। ବିଜୁଳି ଉତ୍ପାଦନ ମଧ୍ୟ ପ୍ରଭାବିତ ହେବ। ତେଣୁ ଜଳ ସଂରକ୍ଷଣ ଏବଂ ଫସଲ ବୀମା କରିବା ପାଇଁ ସବୁ ରାଜ୍ୟଙ୍କୁ ଆଇଏମଡି ପରାମର୍ଶ ଦେଇଛି। ସେପେଟ ଆଜି ବି ପଶ୍ଚିମ ଓଡ଼ିଶାରେ ଖରା ଦେଖାଇଛି ତାଉ। ଦିନରେ ସିଝାଉଛି, ରାତିରେ ଭିଜାଉଛି। କମିବାର ନାଁ ନେଉ ନାହିଁ ତାତି। ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୪୫ ଡିଗ୍ରୀ ଉପରେ ରହିଛି ପାରଦ। ଅନ୍ୟପଟେ ଆସନ୍ତା ୫ ବର୍ଷରେ ବିଶ୍ୱର ତାପମାତ୍ରା ରେକର୍ଡ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ବିଶ୍ବ ପାଣିପାଗ ସଂଗଠନ(ଡବ୍ଲୁଏମଓ)। ଆସନ୍ତା ୫ ବର୍ଷ ମଧ୍ୟରେ ସାରା ବିଶ୍ବରେ ପ୍ରବଳ ଗରମ ଅନୁଭୂତ ହେବ । ବିଶ୍ବ ତାପମାତ୍ରା ବଢି ଭୟଙ୍କର ଗ୍ରୀଷ୍ଣ ଲହରି ଦେଖାଦେବ । ଆଉ ଏହା ସବୁ ବର୍ଷର ରେକର୍ଡକୁ ଭାଙ୍ଗିଦେବ । ୨୦୩୦ ମସିହା ସୁଦ୍ଧା ବିଶ୍ବରେ ପ୍ରଳୟଙ୍କାରୀ ଗ୍ରୀଷ୍ମ ପ୍ରବାହ ନେଇ ଚେତାବନୀ ଜାରି କରିଛି ବିଶ୍ବ ପାଣିପାଗ ସଂଗଠନ। ଜାତିସଂଘର ଏହି ସଂଗଠନର ରିପୋର୍ଟ ଅନୁସାରେ ୨୦୨୬ରୁ ୨୦୩୦ ମସିହା ମଧ୍ୟରେ ପ୍ରତି ବର୍ଷ ହାରାହାରି ୧.୩ ଡିଗ୍ରୀରୁ ୧.୯ ଡିଗ୍ରୀରୁ ଅଧିକ ରହିବ। ଏପରିକି ବିଶ୍ବବାସୀଙ୍କୁ ସର୍ବକାଳୀନ ରେକର୍ଡ ଭାଙ୍ଗିବା ଭଳି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ସାମ୍ନା କରିବାକୁ ପଡିପାରେ। ଏହାସହ ବିଭିନ୍ନ ସ୍ଥାନରେ ମରୁଡ଼ି ସ୍ଥିତି ଦେଖାଦେବ । ପ୍ରବଳ ଗରମରୁ ଜଙ୍ଗଲରେ ନିଆଁ ଲାଗିବା ସମ୍ଭାବନା ଅଧିକ ରହିବ । ପ୍ରବଳ ଗରମ ଯୋଗୁଁ କୃଷି, ଜୈବ ବିବିଧତା, ଜଳ ସଂପଦ ଓ ସ୍ବାସ୍ଥ୍ୟ ପ୍ରତି ଗୁରୁତର ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସତର୍କତା ଅବଲମ୍ବନ କରିଛି ବିଶ୍ବ ପାଣିପାଗ ସଂଗଠନ।

