ଦିଲ୍ଲୀରେ ଅଗ୍ନିକାଣ୍ଡ: ୩ ଜୀବନ୍ତ ଦଗ୍ଧ
ନୂଆଦିଲ୍ଲୀ: ଦକ୍ଷିଣ-ପୂର୍ବ ଦିଲ୍ଲୀର ତୁଗଲକାବାଦ ଅଞ୍ଚଳରେ ଗୁରୁବାର ମଧ୍ୟରାତ୍ରିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଏକ ପାଞ୍ଚ ମହଲା ବିଶିଷ୍ଟ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ମହିଳାଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି। ଅଗ୍ନିଶମ ବାହିନୀ ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲେ। ଚିକିତ୍ସାପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ଜଣେ ୨୨ ବର୍ଷୀୟ ଯୁବକ ଅଛନ୍ତି। ଦିଲ୍ଲୀ ଅଗ୍ନିଶମ ସେବା ସୂଚନା ଅନୁଯାୟୀ, ରାତି ୨ଟା ୨୫ରେ ନିଆଁ ଲାଗିବା ନେଇ ଖବର ପାଇବା ପରେ ୭ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଥିଲା। ନିଆଁ କୋଠାର ତଳ ମହଲାରେ ଥିବା ତିନିଟି ସ୍କୁଟି, ଦୁଇଟି ମୋଟର ସାଇକେଲ ଓ ଗୋଟିଏ ସାଇକେଲରେ ଲାଗିଥିଲା। ସଙ୍ଗେ ସଙ୍ଗେ ନିଆଁ ଓ ଧୂଆଁ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା। ଅଗ୍ନିକାଣ୍ଡ ଯୋଗୁ ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋର, ପ୍ରଥମ ଓ ଦ୍ବିତୀୟ ମହଲା ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଉପର ମହଲା ଆଂଶିକ ଭାବେ ପ୍ରଭାବିତ ହୋଇଛି। କୋଠାରୁ ୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ଆହତମାନଙ୍କୁ ସଫଦରଜଙ୍ଗ ହସ୍ପିଟାଲର ବର୍ଣ୍ଣ ୟୁନିଟରେ ଓ ଏମ୍ସର ଟ୍ରମା ସେଣ୍ଟର ବର୍ଣ୍ଣ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଛି। ଭୋର ୪ଟାରେ ନିଆଁ ଲିଭା କାର୍ଯ୍ୟ ଶେଷ ହୋଇଥିବା ଅଗ୍ନିଶମ ବିଭାଗ କହିଥିଲା।

