ତାଜା ଖବରରାଜ୍ୟ

ବିଜେପିରେ ମିଶିଲେ ଦେବାଶିଷ ସାମନ୍ତରାୟ ‘ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵ ଦ୍ଵାରା ପ୍ରଭାବିତ’

ନୂଆଦିଲ୍ଲୀ, ୨୫|୫: ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି। ବିଜେପିରେ ଯୋଗ ଦେବା ପରେ ଦେବାଶିଷ ସାମନ୍ତରାୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ବିଜେପିରେ ସାମିଲ ହେବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ। ଦେବାଶିଷ କହିଛନ୍ତି, “ବିକଶିତ ଭାରତ ପାଇଁ ପ୍ରଧାନମନ୍ତ୍ରୀ ଦେଖିଥିବା ସ୍ଵପ୍ନ, ତାଙ୍କ କାର୍ଯ୍ୟକଳାପରେ ପ୍ରଭାବିତ ହୋଇ ଦଳରେ ଯୋଗ ଦେଇଛି । ଓଡ଼ିଶାରେ ଦଳକୁ ଆହୁରି ମଜଭୁତ୍ କରିବାକୁ ଚେଷ୍ଟା କରିବି ।”ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ଏବେ ଓଡ଼ିଶା ବିକଶିତ ହେଉଛି । ପ୍ରଧାନମନ୍ତ୍ରୀ ଦେଖିଥିବା ସ୍ଵପ୍ନରେ ମୋର ସହଯୋଗ ରହିବ । ମୋତେ ଦେଇଥିବା ସୁଯୋଗ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ଦେବାଶିଷ ସାମନ୍ତରାୟ ।  ସୋମବାର ଦେବାଶିଷ ସାମନ୍ତରାୟ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବା ସହ ରାଜ୍ୟସଭା ସାଂସଦ ପଦ ଛାଡ଼ିଥିଲେ । ବିଜେଡି ଛାଡ଼ିବାର ଦିନକ ପରେ ଦେବାଶିଷ ସାମନ୍ତରାୟ ଦିଲ୍ଲୀରେ ବିଜେପିରେ ସାମିଲ୍ ହୋଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଦେବାଶିଷ ସାମନ୍ତରାୟ ଇସ୍ତଫା ପତ୍ର ପଠାଇଥିଲେ । ଇସ୍ତଫା ପତ୍ରରେ ସାଂଘାତିକ କଥା ଉଲ୍ଲେଖ କରିଛନ୍ତି ଦେବାଶିଷ । ସେ ଲେଖିଛନ୍ତି, “ପ୍ରାୟୋଜିତ ଭାବେ ବିଜେଡିରେ ଅଣଦେଖା କରାଯାଉଛି ଏବଂ ଦଳ ତାଙ୍କୁ ଆଉ ଆବଶ୍ୟକ କରୁନାହିଁ । ତେଣୁ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଦଳ ଛାଡ଼ିବା ଭଳି କଠୋର ନିଷ୍ପତ୍ତି ନେଉଛି ।”

 

 

Leave a Reply

Your email address will not be published. Required fields are marked *