ଫୁଲୁଛି ବୈତରଣୀ, ଆତଙ୍କରେ ନଈକୂଳିଆ ଗାଁ ଛାଡ଼ୁଛି ବର୍ଷା, ବଢ଼ୁଛି ଦୁର୍ଦ୍ଦଶା
ଆରଡ଼ି: ବର୍ଷା ଛାଡ଼ିଥିଲେ ବି ଦୁର୍ଦ୍ଦଶା ଛାଡ଼ୁନି। ରାଜ୍ୟର ବିଭିନ୍ନ ନଦୀରେ ବଢ଼ିଛି ଜଳ ସ୍ତର। ଲଘୁଚାପ ପ୍ରଭାବରେ ଗତ ୫ଦିନ ହେବ ଉପରମୁଣ୍ଡ ଓ ତଳମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ଜଳସ୍ତର ଵୃଦ୍ଧି ପାଉଛି । ଆଖୁଆପଦା ଠାରେ ବିପଦ ସଂକେତ ତଳେ ବନ୍ୟାଜଳ ପ୍ରବାହିତ ହେଉଥିଲେ ମଧ୍ୟ ତଳମୁଣ୍ଡରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ନଦୀକୂଳରେ ଥିବା ଆରଡି ନିକଟ ମୁଁଆ ସମେତ ଷାଠିବାଙ୍କୁଡା, ବୋଡକ, ଅମୃତମଣୀ, ଦୋହରା ପାଟଣା ଗାଁର ଲୋକ ଆତଙ୍କିତ ହୋଇପଡିଛନ୍ତି ।
କୁଆଖିଆ- ଆଖଣ୍ଡଳମଣି ୨୦ନମ୍ଵର ଜାତୀୟ ରାଜପଥର ରାସ୍ତା ଦବି ଯିବା ସହ ନଦୀ ଆଡ଼କୁ ଢଳି ରହିଛି । ଆଗକୁ ଯଦି ବୈତରଣୀରେ ବନ୍ୟାପାଣି ଵୃଦ୍ଧି ପାଏ ତାହାଲେ ଏହି ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଗତବର୍ଷ ଏଠାରେ ୩ଶହ ଫୁଟର ନଦୀବନ୍ଧ ଧଶିଥିଲେ ମଧ୍ୟ ଏଯାଏ ଏହା ମରାମତି ହୋଇପାରିନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟ ଅସନ୍ତୋଷ ଦେଖିବାକୁ ମିଳିଛି ।

