ପଢ଼ାବହିରେ ଆତଙ୍କବାଦୀଙ୍କୁ ”ମହାନାୟକ” ସମ୍ମାନ, ବିଜେପିର ପ୍ରତିବାଦ
ଜମ୍ମୁ-କାଶ୍ମୀର: ପିଲାଙ୍କ ପଢ଼ାବହିରେ ଆତଙ୍କବାଦୀଙ୍କୁ ସଜାଯାଇଛି ମହାନାୟକ। ଯାହାକୁ ନେଇ ବିଜେପି କଡ଼ା ପ୍ରତିବାଦ କରିଛି। ଜମ୍ମୁ-କାଶ୍ମୀରର ସରକାରୀ ସ୍କୁଲ ପାଠାଗାର ଗୁଡ଼ିକରେ ବଣ୍ଟା ଯାଇଥିବା ଏକ ବହିରେ ଦଣ୍ଡିତ ଆତଙ୍କବାଦୀ ଓ ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ପ୍ରଶଂସା କରାଯାଇ ମହାନ ବ୍ୟକ୍ତିତ୍ୱ ତଥା ଦେଶର ରୋଲ୍ ମଡେଲ୍ ଭାବେ ଚିତ୍ରିତ କରାଯାଇଛି। ଯାହାକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ସର୍ବ ଶିକ୍ଷା ଅଭିଯାନର ଲୋଗୋ ଥାଇ ”ଗ୍ରେଟ୍ ପର୍ସନାଲିଟିଜ୍ ଆଣ୍ଡ ଲେଜେଣ୍ଡସ ଅଫ୍ ଜେଆଣ୍ଡକେ (ସିରିଜ୍-୪)” ନାମକ ଏହି ବିବାଦୀୟ ବହିଟି ଚଳିତ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଛି, ଯେଉଁଥିରେ ଆଇନ ଅନୁଯାୟୀ ଫାଶୀ ପାଇଥିବା କୁଖ୍ୟାତ ଆତଙ୍କବାଦୀ ମକବୁଲ୍ ଭଟ୍ଟକୁ କ୍ରାନ୍ତିକାରୀ ବୋଲି କୁହାଯାଇଥିବା ବେଳେ ସୈୟଦ ଅଲ୍ଲୀ ଶାହ ଗିଲାନୀ, ମସରତ ଆଲମ ଓ ମିରୱାଇଜ୍ ଉମର ଫାରୁକଙ୍କ ଭଳି ବିଚ୍ଛିନ୍ନତାବାଦୀଙ୍କୁ ପ୍ରଶଂସା କରାଯାଇଛି। ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେପି ପ୍ରମୁଖ ସୁନୀଲ ଶର୍ମା ଏହାକୁ “ଶିକ୍ଷାଗତ ଜିହାଦ” ବୋଲି ଆଖ୍ୟା ଦେଇ କହିଛନ୍ତି ଯେ କୋମଳମତି ପିଲାମାନଙ୍କ ମନରେ ଦେଶପ୍ରେମ ବଦଳରେ ଦେଶଦ୍ରୋହୀଙ୍କ ପ୍ରତି ସମ୍ମାନ ଭରିବାକୁ ଏହା ଏକ ଷଡ଼ଯନ୍ତ୍ର। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସରକାରଙ୍କୁ ଦାୟୀ କରିବା ସହ ତୁରନ୍ତ ଶିକ୍ଷାମନ୍ତ୍ରୀ ସକିନା ଇତୁଙ୍କୁ ପଦରୁ ହଟାଇବା ଏବଂ ବହି ଚୟନ କରିଥିବା କମିଟି ସଦସ୍ୟଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

