ଭଟଲି ଦଧିବାମନଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ବରଗଡ଼,୩/୭(ସପ୍ର)- ପଶ୍ଚିମ ଓଡିଶା ଶ୍ରୀକ୍ଷେତ୍ର ଭାବେ ପରିଚିତ ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଭଟଲି ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜୁଲାଇ ୧୪ରେ ନେତ୍ରୋତ୍ସବ, ୧୫ରେ ନବଯୌବନ ଦର୍ଶନ, ୧୬ରେ ଶ୍ରୀ ଗୁଣ୍ଡିଚା ରଥଯାତ୍ରା ଏବଂ ୨୪ ରେ ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ଚଳିତ ବର୍ଷ ଦ୍ୱିତୀୟ ଥର ଏଠାରେ ସୁନାବେଶ ଅନୁଷ୍ଠିତ ହେବ ଓ ୨୬ରେ ଅଧରପଣା ସହିତ ସେହିଦିନ ଶ୍ରୀଜୀଉଙ୍କ ନିଳାଦ୍ରୀ ବିଜେ ହେବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ତହସିଲଦାର ରାମକୃଷ୍ଣ ମିଶ୍ର ବୈଠକରେ ଯୋଗ ଦେଇଥିବା ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଉକ୍ତ ବୈଠକରେ ରାସ୍ତାଘାଟ ପରିଷ୍କାର ପରିଚ୍ଛନ୍ନ, ବଡ଼ଦାଣ୍ଡ ରାସ୍ତା ମରାମତି ପାଇଁ ମଧ୍ୟ ବିଭାଗିୟ ଅଧିକାରୀଙ୍କ ଦୃଷ୍ଟିଗୋଚର କରିଥିଲେ । ପାର୍କିଂ ସ୍ଥାନ ମାନଙ୍କରେ ବିଦ୍ୟୁତ ବିଭାଗ ଙ୍କ ସ୍ୱତନ୍ତ୍ର ଦୃଷ୍ଟି ଦେବାପାଇଁ କୁହାଯାଇଥିଲା । ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀଙ୍କୁ ସାଂସ୍କୃତିକ ଦଳ ପଠାଇବାକୁ ଜଣାଇଥିଲେ । ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନା, ଶାନ୍ତି ଶୃଙ୍ଖଳା ରକ୍ଷା ତଥା ଯାନବାହନ ଚଳାଚଳର ସୁବନ୍ଦୋବସ୍ତ ପାଇଁ ପୋଲିସ ବିଭାଗକୁ ଅବଗତ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରୁ ଏସଡିପିଆରଓ ସନତ ପାଢୀ, ଏସଡିପିଓ ପଦାରବିନ୍ଦ ତ୍ରିପାଠୀ, ଭଟଲି ଥାନାଅଧିକାରୀ ବିଭୁତି ଭୁଷଣ ଦଳେଇ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଜିତ ହାଁସଦା ପ୍ରମୁଖ ମଞ୍ଚାସୀନ ଥିଲେ । ମନ୍ଦିର ପୂଜକ ଗୌରଚନ୍ଦ୍ର ରଥ, ରଥଯାତ୍ରା ପରିଚାଳନା କମିଟିର ସଦସ୍ୟ, ମନ୍ଦିର ଟ୍ରଷ୍ଟ ବୋର୍ଡ ନୂତନ ମ୍ୟାନେଜିଂ ଟ୍ରଷ୍ଟ ମୋତିଲାଲ ବନଛୋର ତଥା ସଦସ୍ୟ ମାନେ ଉପସ୍ଥିତ ଥିଲେ ।

