ତୁଳସୀ ଜଟାରେ ଲକ୍ଷ୍ମୀଙ୍କ ବାସ
ଭାରତୀୟ ସଂସ୍କୃତି ଓ ପରମ୍ପରାରେ ତୁଳସୀ ଗଛର ଏକ ସ୍ୱତନ୍ତ୍ର ମହାତ୍ମ୍ୟ ରହିଛି । ଭାରତର ପ୍ରତିଟି ହିନ୍ଦୁ ପରିବାରର ଅଗଣାରେ କିମ୍ବା ବାରଣ୍ଡାରେ ତୁଳସୀ ଚଉରାଟିଏ ଦେଖିବାକୁ ମିଳେ । ଦେହରେ ଥଣ୍ଡା ଜମିଗଲେ ବାଡ଼ିର ବଇଦ ସାଜୁଥିବା ଏହି ଔଷଧୀୟ ଉଦ୍ଭିଦକୁ ମା’ ମହାଲକ୍ଷ୍ମୀଙ୍କ ସ୍ବରୂପ ଭାବେ ସମସ୍ତେ ମାନିଥାନ୍ତି। ଘରର ଲକ୍ଷ୍ମୀମାନେ ପ୍ରତିଦିନ ତୁଳସୀ ମାଆଙ୍କ ସ୍ବତନ୍ତ୍ର କରିଥା’ନ୍ତି । ତେବେ ଅନେକ ସମୟରେ ଦେଖାଯାଏ ଯେ, ତୁଳସୀ ଗଛରେ ହଠାତ୍ ପ୍ରଚୁର ପରିମାଣରେ ତୁଳସୀ ଜଟା ଆସିଯାଇଥାଏ। ବାସ୍ତୁ ଓ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗଛରେ ଜଟା ଆସିବା ହେଉଛି ଅତ୍ୟନ୍ତ ଶୁଭ ଓ ସକାରାତ୍ମକ ସଙ୍କେତ। ଏହା ଦର୍ଶାଏ ଯେ ଆପଣଙ୍କ ଘରେ ସକାରାତ୍ମକ ଶକ୍ତିର ବାସ ରହିଛି ଏବଂ ମା’ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। କିନ୍ତୁ ଅନେକ ସମୟରେ ଆମେ ଶ୍ରଦ୍ଧା ଓ ଭକ୍ତିରେ ଏହି ଜଟା ବା ମଞ୍ଜିଗୁଡ଼ିକୁ ଛିଣ୍ଡାଇ ନଥାଉ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଅତ୍ୟଧିକ ଜଟା ଗଛ ଉପରେ ଏକ ପ୍ରକାର ବୋଝ ବା ଭାର ସଦୃଶ ହୋଇଥାଏ ଯାହାଦ୍ୱାରା ତୁଳସୀ ଗଛଟି ଧୀରେ ଧୀରେ ଶୁଖିବାକୁ ଲାଗେ । ମନେରଖନ୍ତୁ ଘରେ ତୁଳସୀ ଗଛ ଶୁଖିବା ଏକ ବଡ଼ ବାସ୍ତୁଦୋଷ ବୋଲି ଧରାଯାଏ। ତେଣୁ ଯେତେବେଳେ ଏହି ମଞ୍ଜି ପାକଳ ହୋଇଯାଏ ବା ଶୁଖିବାକୁ ଲାଗେ ତାକୁ ଠିକ୍ ସମୟରେ ତୋଳିଦେବା ଉଚିତ୍ । ଏହା ତୁଳସୀ ଗଛକୁ ଏକ ନୂଆ ଜୀବନ ଦେଇଥାଏ। ଏହି ପବିତ୍ର ଜଟାକୁ ଅଳିଆ ଗଦାରେ ନଫିଙ୍ଗି ଆପଣ କିଛି ସହଜ ଉପାୟରେ ଏହାର ବ୍ୟବହାର କରି ନିଜର ଆର୍ଥିକ ଓ ମାନସିକ ସ୍ଥିତିକୁ ସୁଧାରି ପାରିବେ । ଯେମିତିକି ଯଦି ଆପଣ ଆର୍ଥିକ ଅଭାବ ଦେଇ ଗତି କରୁଛନ୍ତି ତେବେ ଶୁଖିଲା ଜଟାକୁ ଏକ ସଫା ନାଲି କିମ୍ବା ହଳଦିଆ ରଙ୍ଗର କପଡ଼ାରେ ବାନ୍ଧି ଦିଅନ୍ତୁ । ଏହାକୁ ଆପଣଙ୍କ ଟ୍ରେଜେରି ବା ଧନ ରଖୁଥିବା ସ୍ଥାନରେ ରଖନ୍ତୁ । ମାନ୍ୟତା ଅଛି ଯେ, ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇ ସମୃଦ୍ଧି ଆସିଥାଏ। ଘରୁ ନକାରାତ୍ମକ ଶକ୍ତି ଦୂର କରିବା ପାଇଁ ଦୈନନ୍ଦିନ ପୂଜା ସମୟରେ ଜଳାଉଥିବା ଦୀପରେ ଚୁଟକିଏ ଶୁଖିଲା ତୁଳସୀ ଜଟା ପକାଇ ଦିଅନ୍ତୁ । ଏହାର ସୁଗନ୍ଧ ବାତାବରଣକୁ ପବିତ୍ର କରିବା ସହ ମନକୁ ଶାନ୍ତ ରଖେ। ଯଦି ଆପଣ ଅଧିକ ମାନସିକ ଚାପରେ ରହୁଛନ୍ତି, ତେବେ ଗାଧୋଇବା ପାଣିରେ କିଛି ଜଟାର ମଞ୍ଜି ପକାଇ ସ୍ନାନ କରନ୍ତୁ । ଏହା ଆପଣଙ୍କ ଆତ୍ମାକୁ ସଫା କରି ଶରୀର ଓ ମନକୁ ସତେଜ କରିଥାଏ। ପ୍ରତ୍ୟେକ ଶୁକ୍ରବାର ଦିନ ସତେଜ କିମ୍ବା ଶୁଖିଲା ମଞ୍ଜିକୁ ପ୍ରଭୁ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ଚରଣରେ ଅର୍ପଣ କଲେ ଅଶେଷ କଲ୍ୟାଣ ହୋଇଥାଏ। ତୁଳସୀର ପବିତ୍ରତା ବଜାୟ ରଖିବାକୁ ହେଲେ କିଛି ନିୟମ ପାଳନ କରିବା ଜରୁରୀ। ଗଛକୁ ସଦାସର୍ବଦା ଉତ୍ତର, ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ ରଖନ୍ତୁ। ଚଉରା ଆଖପାଖରେ କେବେହେଲେ ଅଳିଆ, ଝାଡ଼ୁ କିମ୍ବା ଜୋତା-ଚପଲ ରଖନ୍ତୁ ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି- ରବିବାର, ଏକାଦଶୀ ଏବଂ ରାତି ସମୟରେ ଭୁଲରେ ବି ତୁଳସୀ ପତ୍ର କିମ୍ବା ଜଟା ତୋଳନ୍ତୁ ନାହିଁ । ତୋଳାଯାଇଥିବା ଜଟାକୁ ଏଣେତେଣେ ନଫିଙ୍ଗି ଭଗବାନଙ୍କୁ ଅର୍ପଣ କରନ୍ତି କିମ୍ବା କୌଣସି ପବିତ୍ର କୁଣ୍ଡର ମାଟିରେ ଦବାଇ ଦିଅନ୍ତୁ ।

