ଜାତୀୟତାଜା ଖବର

କୋଳରେ ଶିଶୁ, କାନ୍ଧରେ ପୋଲିଓ ବାକ୍ସ ସରକାରୀ ଦାୟିତ୍ବ ସହ ମାତୃତ୍ବ କତ୍ତର୍ବ୍ୟରେ ଆଶାଦିଦି

ସୁନ୍ଦରଗଡ : କାଖରେ ୯ ମାସର କୁନି ଛୁଆ, କାନ୍ଧରେ ପୋଲିଓ ଟିକା ବାକ୍ସ। ଆଉ ସାମନାରେ ଅଙ୍କବଙ୍କା ପାଦଚଲା ଜଙ୍ଗଲୀ ରାସ୍ତା। ଏ ସବୁ ଅସୁବିଧାକୁ ଏଡ଼ାଇ ଦେଇ କର୍ତ୍ତବ୍ୟ ତୁଲାଇବାକୁ ଘରୁ ବାହାରିଛନ୍ତି ଜଣେ ମାଆ। ଗୋଟିଏ ହାତରେ ସରକାରୀ ଦାୟିତ୍ବ ତୁଲାଇବା ସହ ଅନ୍ୟ ହାତରେ ସମ୍ଭାଳୁଛନ୍ତି ମାତୃତ୍ବର କତ୍ତର୍ବ୍ୟ। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା  ବ୍ଲକ ଚୋରଧରା ପଞ୍ଚାୟତ ଜଣେ ସାଧାରଣ ଆଶାକର୍ମୀ ମାଇଲିନ ସୋରେନଙ୍କ ଏହି ଅସାଧାରଣ କାହାଣୀ। କେଉଁଠି କାଦୁଅ ରାସ୍ତା ତ କେଉଁଠି ଜଙ୍ଗଲ , ଆଉ କେଉଁଠି ପୁଣି ପାହାଡ଼ିଆ ବାଟ। କୌଣସି ଅସୁବିଧାକୁ ଖାତିର ନକରି ଆଗକୁ ମାଡ଼ି ଚାଲିଛନ୍ତି ଶ୍ରୀମତି ସୋରେନ। ନିଜର ୯ ମାସ ଶିଶୁକୁ କୋଳରେ ଧରି ଘରକୁ ଘରକୁ ବୁଲି ଛୋଟ ଛୁଆଙ୍କୁ ପୋଲିଓ ବୁନ୍ଦା ଦେଉଛନ୍ତି। ସେ କେବେ ଥକି ପଡ଼ି ନାହାନ୍ତି କି ଅଟକି ଯାଇ ନାହାନ୍ତି। କାରଣ ତାଙ୍କର ଗୋଟିଏ ଲକ୍ଷ୍ୟ ତାଙ୍କ ଅଞ୍ଚଳର କୌଣସି ଶିଶୁ ପୋଲିଓ ବୁନ୍ଦାରୁ ବଞ୍ଚିତ ନ ରୁହେ। କଷ୍ଟ ହେଲେ ବି ତାଙ୍କୁ ଏହି କାମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ଘର ଘର ବୁଲି ପିଲାଙ୍କ ଖୋଜି ଖୋଜି ପୋଲିଓ ବୁନ୍ଦା ଦିଆଯାଉଛି ବୋଲି ସେ କହିଛନ୍ତି। ରବିବାର ଥିଲା ଜାତୀୟ ପୋଲିଓ ଟୀକାକରଣ ଅଭିଯାନ। କିନ୍ତୁ ଦୁର୍ଗମ ଆଦିବାସୀ ଚୋରଧରା ଗାଁକୁ ଯିବା ଥିଲା ବଡ଼ ଚ୍ୟାଲେଞ୍ଜ। ଏହି ଚ୍ୟାଲେଞ୍ଜକୁ ସେ ହସି ହସି ଗ୍ରହଣ କରିଥିବାବେଳେ କୋଳରେ କୁନି ଶିଶୁରୁ ଧରି ଗାଁକୁ ଯାଇ ଘର ଘର ବୁଲି ପିଲାମାନଙ୍କୁ ପୋଲିଓ ବୁନ୍ଦା ଦେଇଥିଲେ। ଗୋଟିଏ ପରେ ଗୋଟିଏ ଗାଁ ବୁଲି ସେ ପୋଲିଓ ଟୀକାକରଣ କରିଥିଲେ। କେତେବେଳେ ନିଜ ଶିଶୁକୁ ସମ୍ଭାଳୁ ଥିଲେ ତ କେତେବେଳେ ଅନ୍ୟ ଶିଶୁକୁ ପୋଲିଓ ବୁନ୍ଦା ପିଆଉଥିଲେ।  ଜଣେ ଅଙ୍ଗନବାଡ଼ି ହେଲପର ମଧ୍ୟ ମାଇଲିନଙ୍କୁ ଏହି କାମରେ ସହଯୋଗ କରିଥିଲେ। ଆଶାକର୍ମୀ ହେବା ଏକ ଚାକିରି ନୁହେଁ , ଏହା ଏକ ସେବା ଓ ସଂକଳ୍ପ। ସେଥିରେ ଯଦି ଜଣେ ମାଆ କୋଳରେ ନିଜ ଶିଶୁକୁ ଧରି ଅନ୍ୟ ଶିଶୁଙ୍କ ଭବିଷ୍ୟତ ସୁରକ୍ଷିତ କରନ୍ତି ,ତାହେଲେ ସେ କେବଳ କର୍ତ୍ତବ୍ୟ ପାଳନ କରୁ ନାହାନ୍ତି ବରଂ ମାନବିକତାର ଏକ ଉଜ୍ଜଳ ଉଦାହରଣ ସୃଷ୍ଟି କରିଛନ୍ତି। ସରକାରୀ ଯୋଜନା ସଫଳ ହେବା ପଛରେ ମାଇଲିନଙ୍କ ଭଳି ନିରବ ଯୋଦ୍ଧାଙ୍କ ପରିଶ୍ରମ ନିଶ୍ଚୟ ଲୁଚି ରହିଛି।ତାଙ୍କର ଏହି ପରିଶ୍ରମ ପାଇଁ ସ୍ଥାନୀୟ ଲୋକେ ତାଙ୍କର ଖୁବ ପ୍ରଂଶସା କରିଛନ୍ତି ।

Leave a Reply

Your email address will not be published. Required fields are marked *