୬ ମାସ ପରେ ଖୋଲିଲା ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି
ରାୟଗଡ଼ା: ଦୀର୍ଘ ଛଅ ମାସ ପରେ ଆଜି ଖୋଲାଯାଇଛି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି । ଭକ୍ତମାନଙ୍କ ଅର୍ପିତ ଦାନର ହିସାବ ପାଇଁ ସକାଳୁ ସକାଳୁ ମନ୍ଦିର ପରିସରରେ ଚାଲିଛି ବ୍ୟାପକ ପ୍ରସ୍ତୁତି । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଗୋଟିଏ ପରେ ଗୋଟିଏ ହୁଣ୍ଡି ଖୋଲାଯାଇ ଦାନ ଅର୍ଥ ଓ ଅନ୍ୟାନ୍ୟ ସାମଗ୍ରୀର ଗଣତି କରାଯାଉଛି। ରାୟଗଡ଼ା ସହ ସମଗ୍ର ଦକ୍ଷିଣ ଓଡ଼ିଶାରେ ମା’ ମଝିଘରିଆଣୀଙ୍କ ପ୍ରତି ରହିଛି ଅପାର ଆସ୍ଥା । ପ୍ରତିଦିନ ଶହ ଶହ ଭକ୍ତ ମା’ଙ୍କ ଦର୍ଶନ କରିବା ସହ ନିଜ ମାନସିକ ପୂରଣ ପାଇଁ ହୁଣ୍ଡିରେ ଦାନ ଅର୍ପଣ କରିଥାନ୍ତି । ଗତ ଛଅ ମାସ ଧରି ଭକ୍ତଙ୍କ ଦାନରେ ପୂର୍ଣ୍ଣ ହୋଇଥିବା ହୁଣ୍ଡିଗୁଡ଼ିକୁ ଆଜି ନିୟମାନୁସାରେ ଖୋଲାଯାଇଛି । ସୂଚନା ଅନୁଯାୟୀ, ମନ୍ଦିରର ମୋଟ ୯ଟି ଦାନ ହୁଣ୍ଡି ଆଜି ଖୋଲାଯାଇଛି । ହୁଣ୍ଡିରୁ ବାହାରୁଥିବା ଟଙ୍କା, ସୁନା-ରୂପା ଅଳଙ୍କାର ଏବଂ ଅନ୍ୟାନ୍ୟ ଦାନ ସାମଗ୍ରୀକୁ ପୃଥକ ପୃଥକ କରାଯାଇ ଗଣତି କରାଯାଉଛି । ଏହି କାମ ପାଇଁ ମନ୍ଦିର କମିଟିର ସଦସ୍ୟମାନଙ୍କ ସହ ବହୁ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଗଣତି କାମ ସମ୍ପୂର୍ଣ୍ଣ ହେବା ପରେ ମୋଟ ଦାନର ପରିମାଣ ସର୍ବସାଧାରଣଙ୍କୁ ଜଣାଯିବ । ପ୍ରତିବର୍ଷ ମା’ ମଝିଘରିଆଣୀଙ୍କ ମନ୍ଦିରକୁ ଲକ୍ଷାଧିକ ଭକ୍ତ ଦର୍ଶନ ପାଇଁ ଆସୁଥିବାବେଳେ, ହୁଣ୍ଡିରେ ମଧ୍ୟ ବିପୁଳ ପରିମାଣର ଦାନ ଜମା ହୋଇଥାଏ । ଭକ୍ତଙ୍କ ଏହି ଦାନରାଶି ମନ୍ଦିରର ବିକାଶ, ନୀତିକାନ୍ତି, ରକ୍ଷଣାବେକ୍ଷଣ ଓ ଭକ୍ତମାନଙ୍କ ପାଇଁ ବିଭିନ୍ନ ସୁବିଧା ବୃଦ୍ଧିରେ ବ୍ୟବହାର କରାଯାଇଥାଏ । ମା’ଙ୍କ ଆଶୀର୍ବାଦ ପାଇଁ ଭକ୍ତଙ୍କ ଅଗାଧ ବିଶ୍ୱାସ ଏବଂ ଦାନର ପରମ୍ପରା ଆଜି ପୁଣିଥରେ ପ୍ରମାଣିତ କରିଛି ଯେ, ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମଝିଘରିଆଣୀଙ୍କ ପ୍ରତି ଲୋକଙ୍କ ଭକ୍ତି ଓ ଶ୍ରଦ୍ଧା ଦିନକୁ ଦିନ ଆହୁରି ଦୃଢ଼ ହେଉଛି ।

