ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ‘ରାଜେନ୍ଦ୍ରାଭିଷେକ’ ନୀତି
ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ଓ ପାରମ୍ପରିକ ‘ରାଜେନ୍ଦ୍ରାଭିଷେକ’ ନୀତି ଅନୁଷ୍ଠିତ ହୋଇଯାଇଛି। ଏହି ବିଶେଷ ଦେବନୀତି ପାଇଁ ଆଜି ସକାଳୁ ଶ୍ରୀମନ୍ଦିରରେ ସେବାୟତ ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ବେଳେ ସନ୍ଧ୍ୟା ଆଳତି ଓ ସନ୍ଧ୍ୟା ଧୂପ ନୀତି ସଙ୍ଗଠିତ ହେବା ପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା। ଆଜ୍ଞାମାଳ ପାଇବା ପରେ ମଦନମୋହନ ରତ୍ନସିଂହାସନରୁ ଖଟ ଉପରକୁ ବିଜେ କରିଥିଲେ। ଏହା ପରେ ଶ୍ରୀମନ୍ଦିରର ପ୍ରସିଦ୍ଧ ଜୟବିଜୟ ଦ୍ୱାରକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ଜଗମୋହନ ଭିତରକୁ ସମ୍ପୂର୍ଣ୍ଣ ଅନ୍ଧାର କରାଯାଇ ଏକ ଗୁପ୍ତ ନୀତି ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ‘ଆଲଟ ଲାଗି’ ନୀତି ଶେଷ ହେବା ପରେ, ପରମ୍ପରା ଅନୁଯାୟୀ ରାଜଦୂତ ବା ‘ଡଗର’ ଆସି ମଦନମୋହନଙ୍କ ସମୁଖରେ ମାତା ରୁକ୍ମିଣୀଙ୍କ ବିବାହ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ରାଜେନ୍ଦ୍ରାଭିଷେକର ମୁଖ୍ୟ ପର୍ବ ସରିବା ପରେ ମହାପ୍ରଭୁ ଏକ ସୁସଜ୍ଜିତ ମନୋରମ ରଥରେ ବିରାଜମାନ କରିଥିଲେ। ପଟୁଆର ସହ ଘଣ୍ଟ, ଛତା, କାହାଳୀ ଓ ଶଙ୍ଖ ଧ୍ୱନିର ମହାନାଦ ମଧ୍ୟରେ ମଦନମୋହନ ଶ୍ରୀମନ୍ଦିରର ଚତୁଃପାର୍ଶ୍ୱ ବେଢ଼ା ପରିକ୍ରମା କରିବା ସମୟରେ ଭକ୍ତମାନଙ୍କ ହରିବୋଲ ଓ ହୁଳହୁଳି ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଉଠିଥିଲା।

