କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ
ନବରଙ୍ଗପୁର: ଓଡ଼ିଶାର ରେଭେନ୍ୟୁ ପ୍ରଶାସନର ମେରୁଦଣ୍ଡ ରେଭେନ୍ୟୁ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ରେଭେନ୍ୟୁ ଇନ୍ସପେକ୍ଟର, ରେଭେନ୍ୟୁ ସୁପରଭାଇଜରମାନେ “ମିଶନ୍ ସ୍ୱାଭିମାନ” ଅଧୀନରେ ବ୍ୟାପକ ପ୍ରତିବାଦ ଆରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ୩୧୭ଟି ତହସିଲ ଏହି ପ୍ରତିବାଦରେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି। ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘର ପକ୍ଷରୁ ଆଜିଠାରୁ ସମସ୍ତ ସଦସ୍ୟ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରୁଛନ୍ତି। ସଂଘର ମତରେ, ରାଜ୍ୟରେ ମାତ୍ର ୫୦% କର୍ମଚାରୀ ଉପରେ ୨୦୦%ରୁ ଅଧିକ କାର୍ଯ୍ୟଭାର ଚାପି ଦିଆଯାଉଛି। ମୌଳିକ ସୁବିଧା ଯଥା ବିଦ୍ୟୁତ୍, ଇଣ୍ଟରନେଟ୍, ସ୍ଥାୟୀ ଭ୍ରମଣ ଭତ୍ତା, ଗ୍ରୁପ୍-ଡି ପଦବୀ ପୂରଣ ଏବଂ କ୍ୟାଡର ପୁନର୍ଗଠନ ନହେବା ଯୋଗୁଁ ରେଭେନ୍ୟୁ ଫିଲ୍ଡ କର୍ମଚାରୀମାନେ ଅମାନବିକ ପରିସ୍ଥିତିରେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି।

