ନିମ୍ନମାନର କାମ, ଧସିଲା ଘାଟି ରାସ୍ତା
ମାଲକାନଗିରି: ୭୦ ବର୍ଷର ଅପେକ୍ଷା ପରେ ମାଲକାନଗିରି ଜିଲ୍ଲାର ବାୟାପଡ଼ା ଘାଟିକୁ ନିର୍ମାଣ ହୋଇଥିଲା ରାସ୍ତା। ଧୀରେ ଧୀରେ ଯାତାୟାତ ହୋଇଥିଲା ସୁଗମ। ରାସ୍ତା ନିର୍ମାଣ ପରେ ଖୁସି ପ୍ରକାଶ କରିଥିଲେ ଆଦିମ ଜନଜାତି। ହେଲେ ନିମ୍ନମାନର କାମ ଯୋଗୁଁ ଦୁଇ ଦିନ ବି ଗଲାନି ଏହି ପାହାଡ଼ିଆ ରାସ୍ତା। ୭୦ ବର୍ଷର ସ୍ବପ୍ନ ନିମିଷରେ ଧୂଳିସାତ ହୋଇଗଲା। ପାହାଡ଼ିଆ ରାସ୍ତା ଧସି ଯାଇଥିବାବେଳେ ଯାତାୟାତ ଏକ ପ୍ରକାର ଠପ୍ ହୋଇ ପଡ଼ିଛି। ନା ଘାଟି ଉପରକୁ ଯାଇପାରୁଛି ବସ ନା ଗଡ଼ୁଛି ଆମ୍ବୁଲାନ୍ସ। ଫଳରେ ଲୋକେ ଯାତାୟାତ ସହିତ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ବର୍ଷାରେ ସମ୍ପୂର୍ଣ୍ଣ ଧୋଇଗଲା ଘାଟି ରାସ୍ତା।
ଲଘୁଚାପ ଓ ଲଗାଣ ବର୍ଷାରେ ବାୟାପଡ଼ା ଘାଟି ରାସ୍ତା ଧସିବା ପରେ ପ୍ରଶାସନ ଘାଟିକୁ ବିପଦ ସଂକୁଳ ଘୋଷଣା କରିଥିବାବେଳେ ରାସ୍ତାର ପୁନଃ ନିର୍ମାଣ ଓ ମରାମତି ଲାଗି ପ୍ରଶାସନ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଅବଗତ କରିଛି। ଘାଟି ରାସ୍ତାର ଗୋଟିଏ ପଟେ ଉଚ୍ଚ ପାହାଡ ଓ ଅନ୍ୟପଟେ ଗଭୀର ଘାଇ ରହିଛି ପ୍ରତିଦିନ ଏହି ରାସ୍ତାରେ ଆଦିମ ଜନଜାତି ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି। ୭୦ ବର୍ଷର ଦାବି ପରେ ଗତ ଦେଢ଼ ବର୍ଷ ତଳେ ପାହାଡ କାଟି ତିଆରି ହୋଇଥିଲା ରାସ୍ତା। ବାୟାପଡା ଘାଟି ଉପରେ ରହିଛି ଡିଡାୟୀ
ସଂପ୍ରଦାୟର ୨୦ଟି ଗାଁ ରହିଛି। ଘାଟି ରାସ୍ତାକୁ ସୁରକ୍ଷା ଦେବା ପାଇଁ ଗାର୍ଡୱାଲ, ରିଟେନିଂ ୱାଲ କରାଯାଇ ନାହିଁ କି ସୁରକ୍ଷିତ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏନେଇ ଲୋକେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନି। ମାଲକାନଗିରି ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ କହିଛନ୍ତି ବାୟାପଡା ଘାଟି ରାସ୍ତାର ସ୍ଥିତିକୁ ନେଇ ପ୍ରଶାସନ ତତ୍ପର ଅଛି। ଏ ସମ୍ପର୍କରେ ସମୀକ୍ଷା ମଧ୍ୟ କରାଯାଇଛି। ଘାଟିକୁ ସ୍ତର ସ୍ତର କରି କଟାଯିବା ସହ ଡ୍ରେନେଜ ବ୍ୟବସ୍ଥା କରାଯିବ। ଆଉ ଏହା ପରେ ରିଟେନିଂ ୱାଲ କରାଯିବ।––

