ତାଜା ଖବର

ଖରାଦିନର ସୁପରଫ୍ରୁଟ୍ ତାଳ ସଜ ମୁହଁକୁ ଚମକାଏ,ଜଳୀୟ ଅଂଶ ବଢ଼ାଏ

ଭୁବନେଶ୍ବର : ପ୍ରବଳ ଗରମ ସାଙ୍ଗକୁ ଝାଞ୍ଜୀ ମାଡ଼ରେ ସିଝୁଛି ସାରା ଦେଶ। ପାରଦ ଉପର ମୁହାଁ ଥିବାବେଳେ ବାୟୁମଣ୍ଡଳରେ ଆଦ୍ରତା ଅଧିକ ରହୁଛି । ଫଳରେ ଗମ୍ ଗମ୍ ଝାଳରେ ଡ୍ରେସ୍ ଓଦା ହୋଇଯାଉଛି। ଦେହରୁ ଜଳୀୟ ଅଂଶ କମିଗଲା ଭଳି ଲାଗୁଛି । ଏହି ସମୟରେ ନିଜକୁ ସୁସ୍ଥ ରଖିବା ପାଇଁ ଖାଲି ଏସି କିମ୍ବା କୁଲର ଯଥେଷ୍ଟ ନୁହେଁ ବରଂ ଶରୀରକୁ ଭିତରୁ ଥଣ୍ଡା ରଖିବା ନିହାତି ଜରୁରୀ । ନହେଲେ ଅଂଶୁଘାତର ପ୍ରହାର କେତେବେଳେ ଉପରେ ପଡ଼ିଯିବ କେହି କହିପାରିବେନି । ସାଧାରଣତଃ ଗରମ ଦିନେ ବଜାରରେ ତରଭୁଜ ଏବଂ ଖରଭୁଜର ଚାହିଦା ବହୁତ ବେଶୀ ଥାଏ । କିନ୍ତୁ ଏହି ସବୁ ଭିତରେ ଗୋଟିଏ ସୁପରଫ୍ରୁଟ୍ କେଉଁଠି ଯେମିତି ହଜିଯାଇଛି, ଯାହାର ନାଁ ହେଉଛି ‘ତାଳସଜ’ ବା ଆଇସ୍ ଆପଲ୍‌ । ତାଳ ଗଛରେ ଫଳୁଥିବା ଏହି ସୁଆଦିଆ ଫଳର ଅନେକ ଆଶ୍ଚର୍ଯ୍ୟଜନକ ଫାଇଦା ଅଛି ତେବେ ଆସନ୍ତୁ ଜାଣିବା ତାଳସଜର ଚମତ୍କାରୀ ଗୁଣ ବିଷୟରେ । ଶରୀରକୁ ପ୍ରାକୃତିକ ଭାବେ ଥଣ୍ଡା ରଖିବାରେ ସବୁଠାରୁ ଭଲ କାମ କରେ ତାଳସଜ । ଏଥିରେ ପ୍ରାୟ ୯୦ ପ୍ରତିଶତ ପାଣି ରହିଥାଏ, ଯାହା ଗରମ ଦିନେ ଶରୀରରେ ଜଳୀୟ ଅଂଶ ଏବଂ ଜରୁରୀ ମିନେରାଲ୍ସର ଅଭାବକୁ ପୂରଣ କରେ । ଏହାକୁ ଖାଇବା ଦ୍ୱାରା ଅଂଶୁଘାତ, କ୍ଳାନ୍ତି, ମୁଣ୍ଡବିନ୍ଧା ଏବଂ ଶରୀର ଶୁଖିଯିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଆମକୁ ଫ୍ରି-ରାଡିକାଲ୍ସରୁ ରକ୍ଷା କରି ହୃଦରୋଗ ଏବଂ ମଧୁମେହ ଭଳି ରୋଗର ଆଶଙ୍କା କମାଇଥାଏ । ଯଦି ଆପଣଙ୍କର ହଜମ ପ୍ରକ୍ରିୟାରେ ସମସ୍ୟା ଅଛି, ତେବେ ତାଳସଜ ଆପଣଙ୍କ ପାଇଁ ଔଷଧ ଭଳି କାମ କରିବ । ଏଥିରେ ଭରପୂର ମାତ୍ରାରେ ଫାଇବର ଥାଏ, ଯାହା ପେଟର ଜଳାପୋଡ଼ା, ଗ୍ୟାସ୍ ଏବଂ ବଦହଜମୀ ଦୂର କରେ । ଏମିତିକି କୋଷ୍ଠକାଠିନ୍ୟ ସମସ୍ୟା କମାଇ ଆନ୍ତ୍ରିକ ବ୍ୟାକ୍ଟେରିଆ ବୃଦ୍ଧି କରେ । ଠିକ୍ ସେହିପରି ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ ବହୁତ କମ୍ ଥିବାରୁ ଏହା ବ୍ଲଡ୍ ସୁଗାରକୁ ହଠାତ୍ ବଢ଼ିବାକୁ ଦିଏନାହିଁ । ଏହାର ପ୍ରାକୃତିକ ଶର୍କରା ଶରୀରକୁ ଧୀରେ ଧୀରେ ଶକ୍ତି ଯୋଗାଏ ଯାହାଦ୍ୱାରା ମଧୁମେହ ବା ଡାଇବେଟିସ୍ ରୋଗୀମାନେ ମଧ୍ୟ ଏହାକୁ ନିର୍ଭୟରେ ଖାଇପାରିବେ ।

Leave a Reply

Your email address will not be published. Required fields are marked *