ଦେଶରେ ମୌସୁମୀ ସକ୍ରିୟ, ଅନେକ ରାଜ୍ୟରେ ବର୍ଷା
ନୂଆଦିଲ୍ଲୀ()ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁ ପରେ ଧୀରେ ଧୀରେ ଅଧିକ ସକ୍ରିୟ ହେବାରେ ଲାଗିଛି। ପ୍ରଭାବରେ କେରଳ, କର୍ଣ୍ଣାଟକ, ଉତ୍ତର-ପୂର୍ବ ଭାରତ ଏବଂ ଉପ-ହିମାଳୟ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ମୌସୁମୀ ବର୍ଷା ଜାରି ରହିଛି। ଆଜି ଉତ୍ତର ଭାରତରେ ଦିଲ୍ଲୀ, ୟୁପି ଏବଂ ହରିୟାଣାର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହ ଝଡ଼ ତୋଫାନ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଦେଶରେ ମୌସୁମୀ କ୍ରମଶଃ ସକ୍ରିୟ ହେବାରେ ଲାଗିଥିବାବେଳେ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବା ଦେଖିବାକୁ ମିଳିଛି। ପାଣିପାଗ ବିଭାଗ ଅନୁଯାୟୀ, ଆଜି (ଜୁନ୍ ୧୦) ଠାରୁ ଆଗାମୀ ଦିନରେ ଦେଶର ଅନେକ ସ୍ଥାନରେ ମୌସୁମୀ ପ୍ରଭାବିତ ବର୍ଷା ଦେଖିବାକୁ ମିଳିବ। ଏହି ସମୟରେ ଝଡ଼ ତୋଫାନ, ପ୍ରବଳ ବେଗ ପବନ ବୋହିପାରେ ବୋଲି ପାଣିପାଗ ବିଭାଗ କହିଛି। ଦକ୍ଷିଣ ଭାରତରେ ବର୍ଷାର ପ୍ରଭାବ ସବୁଠାରୁ ଅଧିକ ଦେଖାଯାଇଛି। କେରଳ, ଉପକୂଳବର୍ତ୍ତୀ କର୍ଣ୍ଣାଟକ, କୋଙ୍କଣ ଏବଂ ଗୋଆ, ଉପ-ହିମାଳାୟ ପଶ୍ଚିମବଙ୍ଗ, ସିକିମ, ଆସାମ ଏବଂ ଅରୁଣାଚଳ ପ୍ରଦେଶର ଅନେକ ସ୍ଥାନରେ ମଧ୍ୟମ ବର୍ଷା ରେକର୍ଡ ହୋଇଛି। ଧୀରେ ଧୀରେ ସାରା ଦେଶରେ ମୌସୁମୀ ବାୟୁ ସକ୍ରିୟ ହେଉଥିବାବେଳେ ଦେଶବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି କରିଛି।

