ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ବର() ଆଜି ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ କରି ସେଥିରେ ଉଲ୍ଲେଖ କରିଛନ୍ତି ଯେ, ଲୋକଙ୍କ ସରକାର’ର ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂର୍ଣ୍ଣ ହୋଇଥିବା ବେଳେ, ରାଜ୍ୟର ଆର୍ଥିକ ମେରୁଦଣ୍ଡ ସ୍ଵରୂପ କୃଷକମାନଙ୍କ ସର୍ବାଙ୍ଗୀନ ବିକାଶ ଓ କଲ୍ୟାଣ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତାରେ ରହିଛି। ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ‘ସମୃଦ୍ଧ କୃଷକ ଯୋଜନା’ ମାଧ୍ୟମରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ‘ସିଏମ୍ କିସାନ ଯୋଜନା’ ଜରିଆରେ କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କୁ ଆର୍ଥିକ ସୁରକ୍ଷା ଏବଂ ‘କାମଧେନୁ ଯୋଜନା’ ମାଧ୍ୟମରେ ଦୁଗ୍ଧ ଚାଷୀଙ୍କ ସଶକ୍ତିକରଣ ଭଳି ଯୁଗାନ୍ତକାରୀ ପଦକ୍ଷେପଗୁଡ଼ିକ ରାଜ୍ୟର କୃଷି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଡବଲ ଇଞ୍ଜିନ ସରକାରଙ୍କ ଏହି ସମନ୍ୱିତ ପ୍ରୟାସ କେବଳ ଚାଷୀମାନଙ୍କୁ ଆର୍ଥିକ ସ୍ୱାବଲମ୍ବନ ଦେଇନାହିଁ, ବରଂ ଓଡ଼ିଶାର କୃଷି ଭିତ୍ତିଭୂମିକୁ ମଜଭୁତ କରି ସମୃଦ୍ଧିର ପଥକୁ ପ୍ରଶସ୍ତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

