ବିଦେଶରେ ଚମକିଲେ ଦୁଇ ଆଦିବାସୀ ପ୍ରତିଭା ମାଲକାନଗିରିରେ ରଶ୍ମିତା ଓ ଅନନ୍ତଙ୍କୁ ସମ୍ବର୍ଦ୍ଧନା
ମାଲକାନଗିରି: ବିଦେଶରେ ଚମକିଲେ ଓଡ଼ିଆ ଆଦିବାସୀ ଛାତ୍ରଛାତ୍ରୀ। ବିଶ୍ୱ ନାଟ୍ୟ ମଞ୍ଚରେ ମାଲକାନଗିରି ଜିଲ୍ଲାର ଦୁଇ ଆଦିବାସୀ ପ୍ରତିଭା ନିଜ କୃତିତ୍ୱର ଛାପ ଛାଡ଼ିଛନ୍ତି। ଏସିଆ ମହାଦେଶର ରୋମାନିଆରେ ଆୟୋଜିତ ବିଶ୍ୱ ସେକ୍ସପିୟର ଫେଷ୍ଟିଭାଲରେ ସାନ୍ତାଳି ଭାଷାରେ ନାଟକ ମଞ୍ଚସ୍ଥ କରି ସ୍ୱାଭିମାନ ଅଞ୍ଚଳର ସୁନା ଝିଅ ରଶ୍ମିତା ତାମରାବି ଓ ଖଇରପୁଟ ବ୍ଲକ ଅରଙ୍ଗି ଗ୍ରାମର ଅନନ୍ତ ଆଙ୍ଗ୍ରା ବେଶ ପ୍ରଶଂସା ସାଉଁଟିଛନ୍ତି। ନିଜ ଅଭିନୟର ଜାଦୁରେ ସମସ୍ତଙ୍କୁ ମୋହିଥିଲେ ଏହି ୨ ଜଣ ପ୍ରତିଭା। ଓଡ଼ିଶାରୁ ଚୟନ ହୋଇଥିବା ୨୦ ଜଣ ଆଦିବାସୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାଲକାନଗିରିର ଏହି ଦୁଇ ପ୍ରତିଭା ସ୍ଥାନ ପାଇଥିଲେ। ସେମାନେ ନିଜ ପାରମ୍ପରିକ ବେଶଭୂଷାରେ ଅଭିନୟ କରି ସେକ୍ସପିୟରଙ୍କ ତିନୋଟି ନାଟକକୁ ସାନ୍ତାଳି ଭାଷାରେ ମଞ୍ଚସ୍ଥ କରିଥିଲେ, ଯାହା ଆନ୍ତର୍ଜାତୀୟ ସ୍ତରରେ ଦର୍ଶକଙ୍କ ପ୍ରଶଂସା ଲାଭ କରିଥିଲା। ରୋମାନିଆରୁ ଫେରିବା ପରେ ମାଥିଲିରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଭବ୍ୟ ଶୋଭାଯାତ୍ରା ମାଧ୍ୟମରେ ସ୍ୱାଗତ କରାଯାଇଥିଲା। ପରେ ସହର ପରିକ୍ରମା କରି ମାଥିଲି ଉତ୍କଳମଣି ଗୋପବନ୍ଧୁ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅଞ୍ଚଳବାସୀ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ବିଶ୍ୱ ନାଟ୍ୟ ମଞ୍ଚରେ ଆଦିବାସୀ ସଂସ୍କୃତି ଓ ସାନ୍ତାଳି ଭାଷାର ପରିଚୟକୁ ସୁଦୃଢ଼ କରିଥିବା ଏହି ଛାତ୍ରଛାତ୍ରୀଙ୍କ ସଫଳତାକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପ୍ରଶଂସା କରିଥିବା ଜଣାପଡ଼ିଛି। ଏହି ସଫଳତା ମାଲକାନଗିରି ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି।

