ଧସିଗଲା ହାତୀ କରିଡର ପାଇଁ ନିର୍ମିତ ଫ୍ଲାଏଓଭର ନିମ୍ନମାନର କାମ ଅଭିଯୋଗରେ ରାସ୍ତାରୋକ
ସମ୍ବଲପୁର: ସମ୍ବଲପୁର ଫ୍ଲାଏଓଭର ଭୁଶୁଡ଼ିବା ଘଟଣାରେ ବରିଷ୍ଠ ନାଗରିକ କମିଟି ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ନିମ୍ନମାନର କାମ ହୋଇଥିବା ଅଭିଯୋଗ କରି ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ଫଳରେ ବହୁ ସମୟ ଧରି ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଗାଡ଼ି ଅଟକି ରହିଥିଲା। ରେଢ଼ାଖୋଲ ଉପ ଜିଲ୍ଲାପାଳ ରଶ୍ମିରଞ୍ଜନ ବିକ୍ଷୋଭକାରୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକ ହଟିଥିଲା। ଆଉ ଏହି ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ବରିଷ୍ଠ ନାଗରିକ କହିବା କଥା, ଏହି ରାସ୍ତା ନିର୍ମାଣ କାମ ଅହେତୁକ ବିଳମ୍ବ ହେବା ସହ ନିମ୍ନମାନର ହୋଇଥିଲା। ଫଳରେ ଏଭଳି ରାସ୍ତା ଭୁଶୁଡ଼ିଥିବାବେଳେ କୋଟି କୋଟି ଟଙ୍କା ପାଣିରେ ପଡ଼ୁଛି ବୋଲି ଅଭିଯୋଗ କରିଛନ୍ତି। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ହାତୀ କରିଡ଼ର ପାଇଁ ନିର୍ମିତ ଏହି ଫ୍ଲାଇଓଭର ଧସିଛି। ଶୁକ୍ରବାର ରାତିରେ ଏହି ଅଘଟଣ ଘଟିଛି। ବରସିକିଆ ଗାଁରେ ଏହି ଅଘଟଣ ଘଟିବା ପରେ ନିର୍ମାଣ କାମକୁ ନେଇ ପ୍ରଶ୍ନବାଚୀ ଉଠିଛି। ରାସ୍ତା ନିର୍ମାଣର ମାତ୍ର ବର୍ଷେରୁ ଦେଢ଼ ବର୍ଷ ଭିତରେ ଏଭଳି ଭୁଶୁଡ଼ି ପଡ଼ିଥିବାରୁ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। କିଛି ଦିନ ପୂର୍ବରୁ ଏଠାରେ ଏକ କଲଭର୍ଟ ମଧ୍ୟ ଦବି ଯାଇଥିବା ସୂଚନା ମିଳିଛି। ତେବେ ୨ ମାସରେ ୨ ଘଟଣା ସାମନାକୁ ଆସିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏହି ଅଘଟଣ ପରେ ବହୁ ସଂଖ୍ୟାରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହର ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ହାତୀମାନଙ୍କ ସୁରକ୍ଷିତ ଯାତାୟାତ ପାଇଁ ତିଆରି ହୋଇଥିବା ଫ୍ଲାଇଓଭର ଧସିପଡ଼ିଛି l ବ୍ରିଜ୍ର ପିଚୁ ଓ କଂକ୍ରିଟ୍ ଚାଦର ଫାଟି ଭିତରର ରଡ୍ (ଲୁହା ଛଡ଼ ) ବାହାରି ପଡିଛି l ରେଢ଼ାଖୋଲ ଥାନା ଅଧିକାରୀଙ୍କୁ ସୂଚନା ଦେଲାପରେ, ରାତି ଅଧରେ ଘଟଣାସ୍ଥଳରେ ପହଞ୍ଚି ଥିଲେ ଓ “ରୁଟ୍ ଡାଇଭର୍ସନ” କରାଇ ପରିସ୍ଥିତି ସମ୍ଭାଳିଥିଲେ l ଏହାକୁ ନେଇ ଜିଲ୍ଲା ପ୍ରଶାସନ ମଧ୍ୟ ତତ୍ପର ହୋଇ ଉଠିଛି l

