‘ଦେହବେପାରକୁ ଉଚ୍ଛେଦ କରିବା ଆମର ଲକ୍ଷ୍ୟ ନୁହେଁ’
ନୂଆଦିଲ୍ଲୀ: ୭୦ ବର୍ଷ ପୁରୁଣା ଅନୈତିକ ବ୍ୟାପାର ନିବାରଣ ଆଇନ (ଆଇଟିପିଏ) ଉପରେ ବିସ୍ତୃତ ବିଚାର-ବିମର୍ଶ ପରେ, ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ, ଏହି ଆଇନର ପ୍ରାଥମିକ ଉଦ୍ଦେଶ୍ୟ ଦେହବେପାରକୁ ଉଚ୍ଛେଦ କରିବା କିମ୍ବା ଏହାକୁ ଅପରାଧୀକରଣ କରିବା ନୁହେଁ, ବରଂ ଏହାର ବ୍ୟବସାୟିକରଣକୁ ରୋକିବା ଅବା ଦୂର କରିବା।
ସଂଗଠିତ ଜୀବିକା ନିର୍ବାହର ଏକ ଉପାୟ ଭାବରେ ଏହାକୁ ରୋକିବା ଆମର ଲକ୍ଷ୍ୟ ବୋଲି ବିଚାରପତି ଜେବି ପାରଦିୱାଲା ଏବଂ ଆର ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି। ବେଶ୍ୟାଳୟରୁ ଉଦ୍ଧାର ହୋଇଥିବା ମହିଳାମାନଙ୍କ ପୁନର୍ବାସ ପ୍ରସଙ୍ଗ ଉପରେ ବିଚାର କରିବା ସମୟରେ, ଖଣ୍ଡପୀଠ ୧୯୫୬ ଆଇନର ବିଶ୍ଳେଷଣ କରି କହିଥିଲେ ଯେ ବିଂଶ ଶତାବ୍ଦୀର ପ୍ରାରମ୍ଭରେ, ଦେହବେପାର ପାଇଁ ମହିଳାମାନଙ୍କୁ ଚାଲାଣ କରିବା ଏକ ସାଧାରଣ ଘଟଣା ଥିଲା ଏବଂ ଏହାକୁ ଅନୈତିକ ବୋଲି ବିବେଚନା କରାଯାଉଥିଲା, ତେଣୁ ଏହି ଶବ୍ଦଟି ଆଇନ ସହିତ ଯୋଡ଼ି ହୋଇଯାଇଥିଲା। ଦେହବେପାର ଉପରେ ସୁପ୍ରିମକୋର୍ଟଙ୍କ ସାମ୍ପ୍ରତିକ ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ପୁଲିସ ସ୍ୱେଚ୍ଛାସେବୀ ଯୌନ କର୍ମୀଙ୍କ ମାମଲାରେ ହସ୍ତକ୍ଷେପ କରିବା କିମ୍ବା ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ନିବୃତ୍ତ ରହିବା ଉଚିତ।

