କେଦାରନାଥ ଯାତ୍ରା : ୩୫ ଦିନରେ ୯ ଲକ୍ଷ ଭକ୍ତ
ଡେରାଡୁନ, ୨୮|୫: ଉତ୍ତରାଖଣ୍ଡର ପବିତ୍ର ହିମାଳୟ କୋଳରେ ଅବସ୍ଥିତ ବାବା କେଦାରନାଥଙ୍କ ଦର୍ଶନ ପାଇଁ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ୨୦୨୬ ବର୍ଷର କେଦାରନାଥ ଯାତ୍ରା ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ମାତ୍ର ୩୫ ଦିନ ମଧ୍ୟରେ ୯ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିସାରିଲେଣି । ପ୍ରତିକୂଳ ପାଗ ଏବଂ କଠିନ ପଥ ସତ୍ତ୍ୱେ ଭକ୍ତଙ୍କ ଆସ୍ଥା ଆଗରେ ସବୁକିଛି ହାର ମାନିଛି । ଚଳିତ ବର୍ଷ ଯାତ୍ରା ଆରମ୍ଭ ହେବା ଦିନଠାରୁ ପ୍ରତିଦିନ ହଜାର ହଜାର ଭକ୍ତ କେଦାରନାଥ ଧାମରେ ପହଞ୍ଚୁଛନ୍ତି। ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ପ୍ରଥମ ୩୫ ଦିନ ମଧ୍ୟରେ ୯ ଲକ୍ଷ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅତିକ୍ରମ କରିବା ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଅଧିକ। ଏହି ଭିଡ଼କୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଏବଂ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

