ବର୍ଷା ଅଭାବରୁ ଅନେକ ଜମି ଶୁଖା, ଚାଷ କାମ ଠପ୍
ବଣାଇଁ: ଜମିରେ ବୁଲୁଛି ଗାଈଗୋରୁ। ଚାରିଆଡ଼େ ଶୁଖା ପଡ଼ିଛି। ରାଜ୍ୟ ସାରା ବର୍ଷା ହେଉଥିବାବେଳେ ସୁନ୍ଦରଗଡ଼ ବଣାଇଁରେ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ସାଧାରଣତଃ ଆଷାଢ଼ ମାସରେ ଜମିରେ ଆଣ୍ଠୁଏ ପାଣିରେ ଚାଷୀ ଚାଷ କାମ ଆରମ୍ଭ କରିଥାନ୍ତି। ହେଲେ ଏଠାରେ ବର୍ଷା ଅଭାବରୁ ଜମି ଶୁଖା ପଡ଼ିଥିବା ଦେଖାଯାଇଛି। ବଣାଇଁ ବ୍ଲକ ଅନ୍ତର୍ଗତ କେନାଭେଟା ପଂଚାୟତ, ଝୀର୍ଡାପାଲି ପଂଚାୟତ, ଗୋବିନ୍ଦପୁର ପଂଚାୟତର ହେକ୍ଟର ହେକ୍ଟର ଜମି ସବୁ ଶୁଖା ପଡିଛି। ଜମିରେ ଗାଈ ଗୋରୁ ଚରୁଥିବା ଦେଖିବାକୁ ମିଳୁଛି । ସମ୍ଭାବ୍ୟ ମରୁଡିକୁ ଆଖି ଆଗରେ ରଖି ଚାଷୀ ଚିନ୍ତାରେ ଥିବାବେଳେ ବର୍ଷାକୁ ଚାତକ ଭଳି ଅନାଇ ବସିଛି। ଆମେ ପାଠ ବହିରେ ପଢିଛୁ, ଚାଷ ଅଛି ଯାହାର, କି ଆନନ୍ଦ ତାହାର, ସେହି ସିନା ଯୋଗାଉଛି ଦୁନିଆକୁ ଆହାର, ହେଲେ ଚାଷ ଜମି ସବୁ ଯଦି ପଡିଆ ରହିବ ସେହି ଚାଷୀଟି କରିବ କ’ଣ, କେମିତି ଫସଲ ଉତ୍ପାଦନ କରିବ, ଆଉ କିଭଳି ତାର ପରିବାରକୁ ପୋଷିବା ସହ ଦୁନିଆକୁ ଆହାର ଯୋଗାଇବ। ଇନ୍ଦ୍ରପୁର ଗାଁର ଚାଷୀ ଚିତ୍ରସେନ ସାହୁ, କେଶବ ଚନ୍ଦ୍ର ସାହୁ କହଛନ୍ତି, ଏ ବର୍ଷ ଭଳି ନିଅଣ୍ଟିଆ ବର୍ଷା ପୂର୍ବରୁ କେବେ ଦେଖିନି। ଏଭଳି ଶୁଖା ସ୍ଥିତି ଲାଗି ରହିଲେ ମରୁଡ଼ି ଆଶଙ୍କା ଦେଖାଯିବ ବୋଲି ଚାଷୀ କହିଛନ୍ତି।

