ଚନ୍ଦ୍ରଯାନ-୨ର ବଡ଼ ସଫଳତା ଚନ୍ଦ୍ରର ଦକ୍ଷିଣ ମେରୁରେ ଭୂତଳ ବରଫର ସନ୍ଧାନ
ବେଙ୍ଗାଲୁରୁ, ୨୮|୫: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ର ‘ଚନ୍ଦ୍ରଯାନ-୨’ ଅର୍ବିଟର ଚନ୍ଦ୍ର ପୃଷ୍ଠକୁ ନେଇ ଏକ ବଡ଼ ସଫଳତା ହାସଲ କରିଛି। ଅର୍ବିଟରରୁ ମିଳିଥିବା ସର୍ବଶେଷ ତଥ୍ୟ ଅନୁଯାୟୀ, ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଥିବା ଗଭୀର ଗର୍ତ୍ତ ବା କ୍ରେଟର ଗୁଡ଼ିକର ଭୂତଳ ଭାଗରେ ବିପୁଳ ପରିମାଣର ବରଫ ଲୁଚି ରହିଥିବା ସଂକେତ ମିଳିଛି। ଏହି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ପାଇଁ ଅର୍ବିଟରରେ ଥିବା ‘ଡୁଆଲ୍ ଫ୍ରିକ୍ୱେନ୍ସି ସିନ୍ଥେଟିକ୍ ଆପେରଚର୍ ରାଡାର’ (ଡିଏଫ୍ଏସ୍ଏଆର୍)ର ବ୍ୟବହାର କରାଯାଇଛି, ଯାହା ଚନ୍ଦ୍ରକୁ ପଠାଯାଇଥିବା ପ୍ରଥମ ସମ୍ପୂର୍ଣ୍ଣ ପୋଲାରିମେଟ୍ରିକ୍ ରାଡାର। ଏହି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ବୈଜ୍ଞାନିକମାନେ ଚନ୍ଦ୍ରର ସବୁଠାରୁ ଅନ୍ଧକାରମୟ ଏବଂ ଅତି କମ୍ ତାପମାତ୍ରା (ପ୍ରାୟ ମାଇନସ୍ ୨୪୮ ଡିଗ୍ରି ସେଲସିୟସ୍) ବିଶିଷ୍ଟ ଗର୍ତ୍ତଗୁଡ଼ିକର ଅନୁଧ୍ୟାନ କରି ବରଫର ଉପସ୍ଥିତି ଚିହ୍ନଟ କରିଛନ୍ତି। ଏହି ସନ୍ଧାନ ପ୍ରକ୍ରିୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବସ୍ଥିତ ‘ଫୌଷ୍ଟିନି’ ନାମକ ଏକ ୧.୧ କିଲୋମିଟର ବିଶିଷ୍ଟ ଛୋଟ କ୍ରେଟର ଭିତରେ ବରଫର ସବୁଠାରୁ ଶକ୍ତ ପ୍ରମାଣ ମିଳିଛି। ଏଠାରେ ମିଳିଥିବା ପଦାର୍ଥ ପଥର ନୁହେଁ ବରଂ ବରଫ ବୋଲି ସ୍ପଷ୍ଟ କରିବା ପାଇଁ ଗବେଷକମାନେ ଏକ ନୂତନ ବୈଜ୍ଞାନିକ ପଦ୍ଧତିର ପ୍ରୟୋଗ କରିଥିଲେ। ଚନ୍ଦ୍ର ପୃଷ୍ଠରେ ଲୁଚି ରହିଥିବା ଏହି ବରଫ ସାମଗ୍ରିକ ବିଶ୍ୱର ଆଗାମୀ ମହାକାଶ ଅଭିଯାନ ପାଇଁ ଏକ ଗେମ୍-ଚେଞ୍ଜର ସାବ୍ୟସ୍ତ ହେବାକୁ ଯାଉଛି। ଏହି ବରଫକୁ ସେହି ସ୍ଥାନରେ ହିଁ ବ୍ୟବହାର କରି ପାନୀୟ ଜଳ, ଶ୍ୱାସକ୍ରିୟା ପାଇଁ ଅମ୍ଳଜାନ ଏବଂ ରକେଟ୍ ପାଇଁ ହାଇଡ୍ରୋଜେନ୍ ଇନ୍ଧନ ପ୍ରସ୍ତୁତ କରାଯାଇପାରିବ। ୨୦୧୯ ମସିହାରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ସଫଳ ହୋଇନଥିଲେ ମଧ୍ୟ, ଏହାର ଅର୍ବିଟର ବିଗତ ବର୍ଷଗୁଡ଼ିକରେ କ୍ରମାଗତ ଭାବେ ଅତି ଉଚ୍ଚ ମାନର ତଥ୍ୟ ପ୍ରଦାନ କରି ନିଜର ଶ୍ରେଷ୍ଠତା ପ୍ରମାଣିତ କରିଆସିଛି। ୨୦୨୩ ମସିହାରେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ସଫଳ ଲ୍ୟାଣ୍ଡିଂ କରି ସାରିଥିବା ବେଳେ, ଚନ୍ଦ୍ରଯାନ-୨ର ଏହି ନୂଆ ଡାଟା ତାହାକୁ ଅଧିକ ସମୃଦ୍ଧ କରିଛି।

