ତାଜା ଖବର

ଜୟପୁରରେ ନିଶା ସାମ୍ରାଜ୍ୟକୁ ଝଟକା: ୫ ଗିରଫ କାର, ମୋବାଇଲ ଓ ନଗଦ ଟଙ୍କା ଜବତ

କୋରାପୁଟ,୧।୬(ସ.ପ୍ର): ବାହାର ଅଞ୍ଚଳରୁ ନିଶା ଇଞ୍ଜେକ୍ସନ ଆଣି ଜୟପୁର ସହର ଓ ଆଖପାଖ ଅଞ୍ଚଳରେ ବିକ୍ରି କରୁଥିଲେ। ବିଶେଷ କରି ଯୁବବର୍ଗ ଓ କଲେଜ ପିଲାଙ୍କୁ ଟାର୍ଗେଟ କରି ସେମାନଙ୍କୁ ଏହି ନିଶା ଇଞ୍ଜେକସନ ବିକ୍ରି କରୁଥିଲେ। ଏଥିରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ଅଭିଯୁକ୍ତମାନେ ଅୟସ କରୁଥିଲେ। ଦୀର୍ଘ ଦିନ ଧରି ପୋଲିସ ଅଜଣାତାରେ ଏହି ନିଶା ଇଞ୍ଜେକସନ ଚାଲୁଥିଲେ ମଧ୍ୟ େପାଲିସ ଏହାର ଟେର ପାଉ ନଥିଲା। ହେଲେ ଗତକାଲି ଏକ ହୋଟେଲରେ ଏହି ନିଶା ଇଞ୍ଜେକସନ ବେପାର ଚାଲୁଥିବା ନେଇ ଜୟପୁର ଟାଉନ ଥାନା  ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା। ଏହି ସୂଚନା ଅାଧାରରେ ଚଢ଼ଉ କରିଥିଲା। ଚଢ଼ଉ େବଳେ ନିଶା ଇଞ୍ଜେକ୍ସନ ବେପାରରେ ସମ୍ପୃକ୍ତ ୫ ଜଣ ସଦସ୍ୟକୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦେବାଶିଷ ପଟ୍ଟନାୟକ, ତାପସ ସାହୁ, ରାମ ହରିଜନ, ପ୍ରଦୀପ୍ତ ଖରା ଓ ସୁରଜ କୁମାର ଗୁପ୍ତା। ସମସ୍ତେ ଜୟପୁର ଅଞ୍ଚଳର ବାସିନ୍ଦା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। େସମାନଙ୍କ ନିକଟରୁ ୭୫୦ଟି ପେଣ୍ଟାଜୋସିନ ନିଶା ଇଞ୍ଜେକ୍ସନ, ଏକ ମାରୁତି ସୁଜୁକି କାର, ୫ଟି ମୋବାଇଲ ଫୋନ ଏବଂ ନଗଦ ୧୫ ହଜାର ଟଙ୍କା ଜବତ ହୋଇଛି। ଅନ୍ୟପକ୍ଷରେ ଏଥିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଓ ମାଷ୍ଟର ମାଇଣ୍ଡ ଫେରାର ଥିବା ସୂଚନା ମିଳିଛି।

ଏ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜୟପୁର ଏସଡିପିଓ ଅର୍ଚ୍ଚିତା ମିତଲ ସୂଚନା ଦେଇ କହିଛନ୍ତି ଯେ, ଗତକାଲି ରାତିରେ କେନାଲ ରୋଡ୍ ସ୍ଥିତ ସନ୍ଧ୍ୟା ହୋଟେଲ ନିକଟରେ ନିଶା ଇଞ୍ଜେକ୍ସନ କାରବାର ଚାଲୁଥିବା ନେଇ େପାଲିସ ସୂଚନା ମିଳିଥିଲା। ଏହି ସୂଚନା ପାଇ  ଜୟପୁର ଟାଉନ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଅଭିଯୁକ୍ତମାନେ ପୋଲିସକୁ େଦଖି ଦୌଡ଼ି ଯିବାକୁ ଉଦ୍ୟମ କରୁଥିବା େବଳେ ଘଟଣାସ୍ଥଳରୁ  ୫ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ବେଳେ ଅନ୍ୟ ଜଣେ  ଅଭିଯୁକ୍ତ ଫେରାର ହୋଇଯାଇଥିଲା।  ସମସ୍ତ ଅଭିଯୁକ୍ତକୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେମାନେ ବାହାର ଅଞ୍ଚଳରୁ ନିଶା ଇଞ୍ଜେକ୍ସନ ଆଣି ଜୟପୁର ସହର ଓ ଆଖପାଖ ଅଞ୍ଚଳରେ ବିକ୍ରି କରୁଥିଲେ। ଏହି ବେଆଇନ କାରବାର ପଛରେ ଥିବା ମୁଖ୍ୟ ଆସାମୀ ଓ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜୋରଦାର କରିଛି। ନିଶା କାରବାରର ସମ୍ପୂର୍ଣ୍ଣ ନେଟୱର୍କ ଖୋଜି ବାହାର କରିବା ସହ ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ଏହି କାରବାରରେ ଏକ ରାକେଟ କାମ କରୁଥିବା େନଇ ଆୟୋଜିତ ସମ୍ମିଳନୀରେ ଏସଡିପିଓ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଜୟପୁରକୁ କେଉଁଠୁ ଆସୁଥିଲା ନିଶା ଇଞ୍ଜେକସନ, ଜୟପୁରରୁ ଅନ୍ୟ କେଉଁଠିକୁ ଚାଲାଣ ହେଉଥିଲା କି, କାହା ଛତ୍ରଛାୟାରେ ଚାଲିଥିଲା ନିଶା ଇଞ୍ଜେକସନ କାରବାର, ଏହି ନିଶା ଇଞ୍ଜେକସନ କାରବାରର କିଙ୍ଗପିନ୍ କିଏ , ଅବୈଧ ନିଶା ଇଞ୍ଜେକସନର ମୂଳ କେଉଁଠି, ନିଶା ଇଞ୍ଜେକସନର ଚେର କେତେ ଦୂରକୁ ଲମ୍ୱିଛି ଏହି ସମସ୍ତ ପ୍ରଶ୍ନର ଖିଅ େଖାଜୁଛି ପୋଲିସ। ଜୟପୁରରେ ନିଶା କାରବାର ବିରୋଧରେ ପୋଲିସର ଅଭିଯାନ ଆଗାମୀ ଦିନରେ ଆହୁରି ଜୋରଦାର ହେବ। ଏବଂ ଯୁବପିଢୀ ଏହି ନିଶା ଠାରୁ ଦୁରେଇ ରହିବାକୁ ଅନୁରୋଧ କରିଛନ୍ତି।

 

Leave a Reply

Your email address will not be published. Required fields are marked *