ମାରଣାସ୍ତ୍ର ରଖିବା ଅଭିଯୋଗରେ ଯୁବକ ଗିରଫ ଦେଶୀ ପିସ୍ତଲ ଓ ଗୁଳି ଜବତ
ସମ୍ବଲପୁର, ୧।୬ (ସ.ପ୍ର): ବେଆଇନ ମାରଣାସ୍ତ୍ର ରଖିବା ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ସମ୍ବଲପୁର ଅନଗୁଲିଆପଡ଼ାର ନରେନ୍ଦ୍ର ନାୟକ (୨୬)। ତା ନିକଟରୁ ଗୋଟିଏ ଦେଶୀ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି ଏବଂ ଏକ ମୋବାଇଲ୍ ଫୋନ୍ ଜବତ ହୋଇଛି। ଗତ ମେ’ ୩୦ ତାରିଖ ରାତିରେ ଅଇଁଠାପାଲି ପୋଲିସ ପକ୍ଷରୁ ବେସରକାରୀ ବସ୍ଷ୍ଟାଣ୍ଡ ଅଞ୍ଚଳରେ ପାଟ୍ରୋଲିଂ କରାଯାଉଥିଲା। ଏହି ସମୟରେ ପୋଲିସ ଟିମ୍ ସେଠାରେ ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ନରେନ୍ଦ୍ରଙ୍କୁ କାବୁ କରି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ନରେନ୍ଦ୍ରଙ୍କ ନିକଟରୁ ବେଆଇନ ଅସ୍ତ୍ରଶସ୍ତ୍ର ସାମଗ୍ରୀ ଜବତ କରିଥିଲା ପୋଲିସ। ସମସ୍ତ ସାମଗ୍ରୀକୁ ପୋଲିସ ନିଜ ହେପାଜତକୁ ନେବା ସହ ନରେନ୍ଦ୍ରକୁ କାବୁ କରି ଥାନାକୁ ଅାଣି ପଚରାଉଚରା କରିଥିଲା। ପରେ ତା ବିରୋଧରେ ଅଇଁଠାପାଲି ଥାନାରେ କେସ ନମ୍ବର ୧୫୬/ଭାରତୀୟ ଅସ୍ତ୍ରଶସ୍ତ୍ର ଆଇନର ଧାରା ୨୫ (୧ଏ)/୨୫ (୧ ବି) (ଏ)ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା।

