ଜାତୀୟତାଜା ଖବର

ସ୍କୁଲ ବସ୍-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ

ଗୁଣୁପୁର : ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଜଗମଣ୍ଡା ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ହୋଇଛି। ଏକ ଘରୋଇ ଶିକ୍ଷାନୁଷ୍ଠାନର ବସ୍ ସହ ମୋଟର ସାଇକେଲ୍ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଯୁବକ ଜଣକ ଗୁଡ଼ାରୀ ଥାନା ଜିରା ନିକଟ ଡିବିରିସିଂ ଗାଁ ର ଗୌତମ ଦାସ (୨୦) । ଗୁରୁତର ଆହତ ଯୁବକ ଜଣକ ହେଲେ ପଦ୍ମପୁର ର ସରୋଜ କୁମାର ଶତପଥୀ (୧୯) । ମିଳିଥିବା ସୂଚନା ଅନୁଯାୟୀ, ଗୌତମ ଓ ସରୋଜ କୌଣସି ବ୍ୟକ୍ତିଗତ କାମରେ ଗୁମୁଡା ଯାଉଥିଲେ। ସେଠାରୁ କାମ ସାରି ସେମାନେ ବାଇକ୍ ଯୋଗେ ପଦ୍ମପୁର ଫେରୁଥିଲେ। ଏହି ସମୟରେ ଜଗମୁଣ୍ଡା ନିକଟରେ ସାମ୍ନା ପଟୁ ଅଭ୍ୟାସ ଟେକ୍ନୋ ସ୍କୁଲର ଏକ ବସ୍ ସହିତ ସାମ୍ନାସାମ୍ନି ଜୋରଦାର ଧକ୍କା ଦେଇଥିଲା। ଦୁର୍ଘଟଣାଟି ଏତେ ଭୟାବହ ଥିଲା ଯେ ଉଭୟ ଯୁବକ ରାସ୍ତା ଉପରକୁ ରକ୍ତାକ୍ତ ଅବସ୍ଥାରେ ଛିଟିକି ପଡ଼ିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା। ତେବେ ସେଠାରେ ଡାକ୍ତର ଗୌତମ ଦାସଙ୍କୁ ମୃତ ଘୋଷଣା କରିଥିଲେ। ସରୋଜଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପଦ୍ମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏହା ସହ ଦୁର୍ଘଟଣା ଗ୍ରସ୍ତ ବସ୍ ଓ ବାଇକ୍କୁ ମଧ୍ୟ ଜବତ କରାଯାଇଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *