ଜାତୀୟତାଜା ଖବର

ପୁଅର ଋଣ ପାଇଁ ବୃଦ୍ଧ ବାପାମାଆ ହୀନସ୍ତା ଫାଇନାନ୍ସ କର୍ମଚାରୀଙ୍କ ଦାଦାଗିରି, ନେଇଗଲେ ରାସନ କାର୍ଡ

ବଲାଙ୍ଗୀର: ପୁଅ ନେଇଥିଲେ ଋଣ। ହେଲେ ଠିକ ସମୟରେ ସୁଝିପାରିଲେନି। କିସ୍ତି ଦେବାରେ ବିଳମ୍ବ ହେବାରୁ ଦେଖିବା ମିଳିଛି ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଦାଦାଗିରି। ଫାଇନାନ୍ସ କମ୍ପାନୀ କର୍ମଚାରୀ ଘରକୁ ଆସି ରାସନ କାର୍ଡ ସହ ଚାଉଳ ନେଇଯାଇଥିବା ଜଣାପଡ଼ିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ବନକାବିହାର ଗାଁରେ । ଗାଁର ସୁବାସ ବରିହା ଲୋନ ଆକାରରେ ମାଇକ୍ରୋ ଫାଇନାନ୍ସରୁ ୫୦ ହଜାର ଟଙ୍କା ନେଇଥିଲେ। କିସ୍ତି ଦେବାରେ ବିଳମ୍ବ ହେବା ପରେ ମାଇକ୍ରୋ ଫାଇନାନ୍ସ କର୍ମଚାରୀ ଆସି ପଇସା ମାଗିଥିଲେ। ହେଲେ ଟଙ୍କା ଦେଇ ନ ପାରିବାରୁ ବୃଦ୍ଧ ବାପା ଓ ମାଆଙ୍କ ରାସନ କାର୍ଡ ଓ ଚାଉଳ ନେଇଯାଇଥିଲେ। ପୁଅର ଋଣ ପାଇଁ ବୃଦ୍ଧ ବାପାମାଆଙ୍କୁ ହୀନସ୍ତା ହେବାକୁ ପଡ଼ିଛି। ଋଣ ଟଙ୍କା ସୁଝିବାରେ ବିଳମ୍ବ ହେବାରୁ ଘରେ ଥିବା ଚାଉଳ, ପଙ୍ଖା ସହ  ବୃଦ୍ଧ ଦମ୍ପତିଙ୍କ ରାସନକାର୍ଡ ନେଇଗଲେ ଫାଇନାନ୍ସ କର୍ମଚାରୀ | ଏହି ଘଟଣାରେ ବୃଦ୍ଧ ଦମ୍ପତି ଥାନାରେ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ପରେ ସାମଗ୍ରୀ ଫେରାଇ ଦିଆଯାଇଥିବା ଜଣାପଡ଼ିଛି। ଟଙ୍କା ଅସୁଲ ନାଁରେ ନିରୀହ ଲୋକଙ୍କୁ ହଇରାଣ କରାଯାଉଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି | ତେବେ ଅଫିସରେ ତାଲା ଝୁଲୁଥିବାରୁ ଫାଇନାନ୍ସ କର୍ମଚାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *