ନୌତାପ
ସାରା ଦେଶରେ ଆରମ୍ଭ ହୋଇଛି ନୌତାପ। ବର୍ଷର ସବୁଠାରୁ ଅଧିକ ଗରମ ଏବଂ ପ୍ରଭାବଶାଳୀ ୯ ଦିନକୁ ନୌତାପ କୁହାଯାଏ। ଯେତେବେଳେ ସୂର୍ଯ୍ୟ ଦେବ ‘ରୋହିଣୀ ନକ୍ଷତ୍ର’ରେ ପ୍ରବେଶ କରନ୍ତି ଯେତେବେଳେ ଏଭଳି ଗରମ ଅନୁଭୁତ ହୋଇଥାଏ। ଚଳିତ ବର୍ଷ ନୌତାପ ମେ’ ୨୫ ତାରିଖରୁ ଆରମ୍ଭ ହୋଇ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ଏହି ସମୟରେ ଓଡ଼ିଶାରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିବାର ସମ୍ଭାବନା ରହିଛି। ନୌତାପ ହେଉଛି ଭାରତୀୟ ପାଣିପାଗ ଏବଂ ଜ୍ୟୋତିର୍ବିଜ୍ଞାନ ଆଧାରିତ ଏକ ପାରମ୍ପରିକ ଅବଧାରଣା। ଯାହା ଗ୍ରୀଷ୍ମ ଋତୁର ସବୁଠାରୁ ଅଧିକ ଗରମ ଏବଂ କଷ୍ଟଦାୟକ ୯ ଦିନକୁ ବୁଝାଇଥାଏ। ନୌତାପର ଅର୍ଥ- ନୌ- ୯ ଏବଂ ତାପ- ଗରମକୁ ବୁଝାଇଥାଏ। ପରମ୍ପରା ଅନୁସାରେ ବିଶ୍ବାସ କରାଯାଏ ଯେ, ଏହି ୯ ଦିନ ପୃଥିବୀ ଯେତେ ଅଧିକ ଉତ୍ତପ୍ତ ହେବ, ମୌସୁମୀ ବାୟୁ ସେତେ ଶୀଘ୍ର ଆସିବ ଏବଂ ବର୍ଷା ସେତେ ଭଲ ହେବ।
୧. ସୂର୍ଯ୍ୟଙ୍କ ସିଧା କିରଣ
ମେ ମାସର ଶେଷ ଆଡ଼କୁ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କର ସବୁଠାରୁ ନିକଟତର ହୋଇଥାଏ। ସୂର୍ଯ୍ୟ ବିଷୁବରେଖାରୁ ଉତ୍ତରକୁ ଗତି କରି କର୍କଟ କ୍ରାନ୍ତିର ଠିକ୍ ଉପରକୁ ଚାଲିଆସନ୍ତି । ଏହି ସମୟରେ ସୂର୍ଯ୍ୟ କିରଣ ଭାରତ ଭୂଖଣ୍ଡ ଉପରେ ସମ୍ପୂର୍ଣ୍ଣ ସିଧା ବା ଲମ୍ବ ଭାବରେ ପଡ଼ିଥାଏ, ଯାହାଫଳରେ ଭୂପୃଷ୍ଠ ତୀବ୍ର ଗତିରେ ଗରମ ହେବାକୁ ଲାଗେ।
୨. ମାଟିରୁ ଆଦ୍ରତା ସମ୍ପୂର୍ଣ୍ଣ ଶେଷ ହେବା
ମାର୍ଚ୍ଚ ଏବଂ ଏପ୍ରିଲ ମାସର ଟାଣ ଖରା ଯୋଗୁଁ ମେ’ ଶେଷ ବେଳକୁ ମାଟିରେ ଥିବା ଆର୍ଦ୍ରତା ଶେଷ ହୋଇଯାଇଥାଏ। ମାଟି ସମ୍ପୂର୍ଣ୍ଣ ଶୁଖିଲା ହୋଇଯାଇଥିବାରୁ, ସୂର୍ଯ୍ୟଙ୍କ ତାପଜ ଶକ୍ତିକୁ ହ୍ରାସ କରିବା ପାଇଁ ପ୍ରକୃତି ପାଖରେ କୌଣସି ଜଳୀୟବାଷ୍ପ ନଥାଏ।
୩. ଲଘୁଚାପ ବଳୟ ଏବଂ “ଲୁ”
ଅତ୍ୟଧିକ ଗରମ ଯୋଗୁଁ ଉତ୍ତର ଏବଂ କେନ୍ଦ୍ରୀୟ ଭାରତର ସ୍ଥଳଭାଗର ବାୟୁ ହାଲୁକା ହୋଇ ଉପରକୁ ଚାଲିଯାଏ, ଯାହାଫଳରେ ସେଠାରେ ଏକ ଶକ୍ତିଶାଳୀ ଥର୍ମାଲ୍ ଲଘୁଚାପ କ୍ଷେତ୍ର ସୃଷ୍ଟି ହୁଏ। ଏହି ଶୂନ୍ୟସ୍ଥାନକୁ ପୂରଣ କରିବା ପାଇଁ ରାଜସ୍ଥାନ ଓ ପାକିସ୍ତାନର ମରୁଭୂମି ଅଞ୍ଚଳରୁ ଅତ୍ୟନ୍ତ ଗରମ ଓ ଶୁଷ୍କ ବାୟୁ ପ୍ରବାହିତ ହୁଏ, ଯାହାକୁ ଆମେ ‘ଲୁ’ କହିଥାଉ। ଏହା ତାପମାତ୍ରାକୁ ଆହୁରି ବଢ଼ାଇ ଦିଏ। “ନୌତାପ ଯେତେ ରହିବ, ବର୍ଷା ସେତେ ଭଲ ହେବ” ଏହି ଲୋକ ବିଶ୍ବାସ ପଛରେ ବିଜ୍ଞାନ ରହିଛି । ଭୂପୃଷ୍ଠର ଅତ୍ୟଧିକ ତାତି ସ୍ଥଳଭାଗରେ ଶକ୍ତିଶାଳୀ ଲଘୁଚାପ ବଳୟ ସୃଷ୍ଟି କରେ । ଏହି ଲଘୁଚାପ ଏକ ବିରାଟ ବାୟୁମଣ୍ଡଳୀୟ ଭ୍ୟାକ୍ୟୁମ୍ ଭଳି କାମ କରେ, ଯାହା ଭାରତ ମହାସାଗରରୁ ଜଳୀୟବାଷ୍ପ ପୂର୍ଣ୍ଣ ମୌସୁମୀ ବାୟୁକୁ ନିଜ ଆଡ଼କୁ ଶୀଘ୍ର ଟାଣିଆଣେ । ଯଦି ଏହି ୯ ଦିନ ମଧ୍ୟରେ କୌଣସି କାରଣରୁ କାଳବୈଶାଖୀ ହୋଇ ସ୍ଥଳଭାଗ ଥଣ୍ଡା ହୋଇଯାଏ, ତେବେ ଏହି ସୃଷ୍ଟି ହେଉଥିବା ଲଘୁଚାପ ଦୁର୍ବଳ ହୋଇଯାଏ। ଫଳରେ ମୌସୁମୀ ବାୟୁ ସ୍ଥଳଭାଗକୁ ଆସିବାରେ ବିଳମ୍ବ ହୁଏ କିମ୍ବା ବର୍ଷାର ପରିମାଣ କମିଯାଏ।

