ଧର୍ମ

ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି

ପୁରୀ: ସ୍ନାନଯାତ୍ରା ପରେ ଅଣସର ଘରେ ଅସୁସ୍ଥ ଦାରୁବ୍ରହ୍ମଙ୍କ ଚାଲିଛି ଗୁପ୍ତ ସେବା। ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଫିଟା ହୋଇଛି । ଠାକୁରେ ଶ୍ରୀଅଙ୍ଗରେ ଲାଗି ହୋଇଥିବା ଚନ୍ଦନ ଓ କରାଳ ଆଦି ଦିବ୍ୟ ବସ୍ତୁ ଓଲାଗି ହୋଇଛି। ଜ୍ବରରେ ପୀଡ଼ିତ ଠାକୁରଙ୍କ ଉପଶମ ପାଇଁ ଫୁଲୁରୀ ତେଲ ଲାଗି କରାଯାଉଛି। ବଡ଼ ଓଡ଼ିଆ ମଠରେ ପ୍ରସ୍ତୁତ ହୋଇଥିବା ଫୁଲୁରୀ ତେଲ ଶ୍ରୀମନ୍ଦିରକୁ ବିଜେ ହୋଇଛି। ଏଥିରେ ରହିଥାଏ ୨୪ ପ୍ରକାର ଉପାଦାନ । ବଡ଼ ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ୱାମୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତ ଏହି ଦୁର୍ଲଭ ଔଷଧିୟ ତେଲ ଠାକୁରଙ୍କୁ ଲାଗି କରାଯାଉଛି। ଗତ ହେରାପଞ୍ଚମୀରେ ମହାପ୍ରଭୁଙ୍କ ମଧ୍ୟାହ୍ନଧୂପ ସରିଲେ ସାନ୍ଧ୍ୟ କାଳରେ ବଡ଼ ଓଡ଼ିଆ ମଠ ମହନ୍ତ ଓ ତାଙ୍କ ସାହାଯ୍ୟକାରୀ ତେଲ ପ୍ରସ୍ତୁତି ଆରମ୍ଭ କରନ୍ତି । ମଠ ପରିସରରେ ସ୍ୱତନ୍ତ୍ର ତେଲ ବାଡ଼ି ମଧ୍ୟ ରହିଛି। କେହି ନଦେଖିଲା ଭଳି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମାଟି ଖୋଳା ହୋଇ ରହିଥାଏ । ମାଟି ହାଣ୍ଡିରେ ଘଣା ପେଡ଼ା ରାଶି ତେଲ ସହ ବିଭିନ୍ନ ଦ୍ରବ୍ୟ ମିଶାଯାଇ ପୋତା ଯାଏ । ସେଥିରେ ଋତୁ ଅନୁସାରେ ମିଳୁଥିବା ବିଭିନ୍ନ ସୁବାସିତ ପୁଷ୍ପ ଓ ଚେରମୂଳି ପକାଯାଏ । ସେହି ଦିନ ଠାରୁ ତେଲ ରହିବା ସ୍ଥାନରେ ଫୁଲ ପାଣି ଦିଆଯାଏ । ସ୍ନାନପୂର୍ଣ୍ଣମୀ ପୂର୍ବ ଦିନ ଠାକୁରଙ୍କ ମଧ୍ୟାହ୍ନଧୂପ ସରିଲେ ସନ୍ଧ୍ୟା ସମୟରେ ପୋତା ସ୍ଥାନରୁ ବାହାରି ଏକ ନିର୍ଦ୍ଦିଷ୍ଟ କୋଠରୀରେ ଉକ୍ତ ତେଲ ମୁଦ ଦିଆଯାଇ ରହିଥାଏ । ପରେ ତେଲକୁ ଛଣା ଯାଇ ମାଟି ପାତ୍ରରେ ସଜଡ଼ା ହୋଇ ରହିଥାଏ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଡକରା ଆସିଲା ପରେ ଫୁଲୁରୀ ତେଲ ଠାକୁରଙ୍କ ସେବା ପାଇଁ ଶ୍ରୀମନ୍ଦିରକୁ ବିଜେ କରିଥାଏ। ସେପଟେ ମହାପ୍ରଭୁ ପ୍ରବଳ ଜ୍ବରରେ ପୀଡିତ ଥିବା ଯୋଗୁଁ ଶ୍ରୀମନ୍ଦିରରେ ଦୈନନ୍ଦିନ ଭଜନ, କୀର୍ତ୍ତନ, ଗୀତ, ଘଣ୍ଟ ଘଣ୍ଟା ନିଷିଦ୍ଧ କରାଯାଇଛି। ଅଣସର ଘର ତାଟି ବାହାରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ପାଇଁ କ୍ଷୀର, ସର, ଚିନି, କର୍ପୁର, ନୈବେଦ୍ୟ ଲାଗି କରିଥାନ୍ତି।

Leave a Reply

Your email address will not be published. Required fields are marked *