ଆନ୍ତର୍ଜାତୀୟତାଜା ଖବର

ଟ୍ରମ୍ପଙ୍କୁ ଝଟକା, ଚୁକ୍ତି ଚୂଡ଼ାନ୍ତ ହୋଇନାହିଁ: ଇରାନ ‘ଲାଲ ରେଖା’ ସହିତ ସାଲିସ ହେବ ନାହିଁ

ତେହେରାନ() ଇରାନ ସହିତ ଐତିହାସିକ ଶାନ୍ତି ଚୁକ୍ତି ଏବଂ ଯୁଦ୍ଧର ଅନ୍ତ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ତେହେରାନ ଖାରଜ କରିଦେଇଛି। ଇରାନର ବୈଦେଶିକ ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତି ଜାରି କରି କହିଛି, ଆମେରିକା ସହିତ କୌଣସି ଚୂଡ଼ାନ୍ତ ଚୁକ୍ତିନାମା ହୋଇନି। ଏହି ରିପୋର୍ଟକୁ କେବଳ କଳନାଜଳ୍ପନା ବୋଲି କହି ଖାରଜ କରିଛି ତେହେରାନ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଏକ ଚୁକ୍ତି ସମ୍ପର୍କରେ ଏକ ବିବୃତ୍ତି ଦେବାର କିଛି ଘଣ୍ଟା ପରେ, ଇରାନ ଏହାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛି। ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏସମାଇଲ ବାଘାଇ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ କୌଣସି ଚୂଡ଼ାନ୍ତ ଚୁକ୍ତି ହୋଇନାହିଁ ଏବଂ ଏପରି ରିପୋର୍ଟ କେବଳ କଳ୍ପନା। ଏହା ବ୍ୟତୀତ, ସେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆମେରିକାର ସମ୍ପ୍ରତି ଆକ୍ରମଣକୁ ନିନ୍ଦା କରିଛନ୍ତି ଏବଂ ଆମେରିକାକୁ ଦାୟୀ କରିବାକୁ ଅନ୍ତର୍ଜାତୀୟ ସମ୍ପ୍ରଦାୟକୁ ଆହ୍ୱାନ କରିଛନ୍ତି। ଇରାନର ସରକାରୀ ସମାଚାର ଏଜେନ୍ସି IRNA କୁ ଉଦ୍ଧୃତ କରି ବାଘାଇ କହିଛନ୍ତି, “ଇରାନ ଏପର୍ଯ୍ୟନ୍ତ କୌଣସି ଚୁକ୍ତିନାମା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ଆମେ ଆମର ‘ଲାଲ ରେଖା’ ସହିତ କେବେବି ସାଲିସ କରିବୁ ନାହିଁ…”। ଅନ୍ୟପଟେ ଇରାନ ଉପରେ ମହାଯୁଦ୍ଧର ଚେତାବନୀ ଦେଇ ଶେଷ ମୁହୂର୍ତ୍ତରେ ପଛଘୁଞ୍ଚା ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରଦ୍ଦ ହେଲା ଗତକାଲି ରାତିର ପ୍ରଚଣ୍ଡ ବୋମାବର୍ଷଣ ଯୋଜନା । ପ୍ରଥମେ ଏକ ସୋସିଆଲ ମିଡିଆ ପୋଷ୍ଟରେ ଟ୍ରମ୍ପ ସାରା ବିଶ୍ୱକୁ ଚମକାଇ ଦେଇ କହିଥିଲେ ଯେ, ଆମେରିକା ରାତିରେ ହିଁ ଇରାନ ଉପରେ ବଡ଼ ଆକ୍ରମଣ କରିବ । ଇରାନର ନେଭି, ଏୟାରଫୋର୍ସ, ରଡାର ଏବଂ ଆଣ୍ଟି-ଏୟାରକ୍ରାଫ୍ଟ ଡିଫେନ୍ସ ସିଷ୍ଟମକୁ ସମ୍ପୂର୍ଣ୍ଣ ଧ୍ୱଂସ କରାଯିବ । ହେଲେ ଚେତାବନୀର ଠିକ୍ ୫ ଘଣ୍ଟା ପରେ ସମ୍ପୂର୍ଣ୍ଣ ଓଲଟି ଯାଇଛନ୍ତି ଟ୍ରମ୍ପ । ନୂଆ ପୋଷ୍ଟରେ ଲେଖିଛନ୍ତି ଯେ, ଇରାନର ସର୍ବୋଚ୍ଚ ନେତୃତ୍ୱଙ୍କ ସହ ଆଲୋଚନା ଏକ ସଫଳ ସ୍ତରରେ ପହଞ୍ଚିଛି ଏବଂ ଏହାକୁ ମଞ୍ଜୁରି ମିଳିସାରିଛି । ଏହି ଶାନ୍ତି ଚୁକ୍ତିରେ ଆମେରିକା, ଇସ୍ରାଏଲ, ସାଉଦି ଆରବ, ୟୁଏଇ, କତାର, ତୁର୍କୀ, ପାକିସ୍ତାନ, ବାହାରିନ, କୁଏତ, ଜୋର୍ଡାନ ଏବଂ ଇଜିପ୍ଟ ଭଳି ବଡ଼ ବଡ଼ ଦେଶ ସାମିଲ ଅଛନ୍ତି । ତେଣୁ ଆକ୍ରମଣକୁ ରଦ୍ଦ କରାଯାଇଛି, ହେଲେ ଚୁକ୍ତି ସମ୍ପୂର୍ଣ୍ଣ ନହେବା ଯାଏଁ ଇରାନ ଉପରେ ଆର୍ଥିକ ନାକାବନ୍ଦୀ ଜାରି ରହିବ । ଟ୍ରମ୍ପଙ୍କର ଏହି ୟୁ-ଟର୍ଣ୍ଣ ପରେ ଆମେରିକା ରାଜନୀତି ଗରମ ହୋଇଉଠିଛି । ତେବେ ଟ୍ରମ୍ପଙ୍କ ଏହି ପୋଷ୍ଟ ନେଇ ଇରାନ ବି କଡ଼ା ଜବାବ ଦେଇ କହିଛି, କୌଣସି ଚୁକ୍ତି ସଫଳ ହୋଇନାହିଁ। ଏହା କେବଳ ଆମେରିକାର କଳ୍ପନା ବୋଲି ଇରାନ କହିଛି।

Leave a Reply

Your email address will not be published. Required fields are marked *