ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବିଗୁଲ ଜୁନ ୧୮ରେ ମତଦାନ : ଜୁନ ୧ ରେ ବିଜ୍ଞପ୍ତି, ୮ରେ ନାମାଙ୍କନର ଶେଷ ତାରିଖ |ପୁଣି ଥରେ ରାଜ୍ୟସଭା ଯାଇପାରନ୍ତି ଦେବାଶିଷ
ନୂଆଦିଲ୍ଲୀ, ୨୭|୫: ଓଡ଼ିଶାରେ ରାଜ୍ୟସଭା ଉପନିର୍ବାଚନ ପାଇଁ ବିଗୁଲ ବାଜିଛି। ରାଜ୍ୟସଭା ଉପନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ପରେ ଖାଲି ପଡ଼ିଥିବା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଖାଲି ହୋଇଥିବା ଗୋଟିଏ ଆସନ ପାଇଁ ହେବ ନିର୍ବାଚନ। ଏନେଇ ଆସନ୍ତା ଜୁନ ୧ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ସେହିପରି ଜୁନ ୮ରେ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବାବେଳେ ଜୁନ ୧୧ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଜୁନ ୧୮ ତାରିଖ ସକାଳ ୯ରୁ ଅପରାହ୍ନ ୪ଟା ମଧ୍ୟରେ ଭୋଟ ଗ୍ରହଣ ହେବ। ଜୁନ ୧୮ ତାରିଖ ଅପରାହ୍ନ ୫ଟାରେ ଭୋଟ ଗଣତି ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଅନ୍ୟପଟେ ପୁଣି ଦେବାଶିଷ ସାମନ୍ତରାୟ ରାଜ୍ୟସଭା ଯିବା ନେଇ ଚର୍ଚ୍ଚା ଜୋର ଧରିଛି। ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ମିଶିଛନ୍ତି ଦେବାଶିଷ। ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପରେ ଖାଲି ପଡ଼ିଥିବା ଆସନକୁ ନେଇ ଏବେ ରାଜନୈତିକ ଚର୍ଚ୍ଚା ବଢ଼ିଛି । ବିଶେଷକରି ବିଜେପି ଦେବାଶିଷ ସାମନ୍ତରାୟଙ୍କୁ ପୁଣି ରାଜ୍ୟସଭା ସଦସ୍ୟ ପ୍ରାର୍ଥୀ କରିବ କି ନାହିଁ ସେନେଇ ରହିଛି ସମସ୍ତଙ୍କ ନଜର। ଏନେଇ ତେବେ କିଏ ପ୍ରାର୍ଥୀ ହେବେ ଦଳ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଯିଏ ଇସ୍ତଫା ଦେଇ ଆସିଛନ୍ତି, ତାଙ୍କ ସମ୍ଭାବନା ଅଧିକ ରହିଛି ବୋଲି ସେ କହିଛନ୍ତି । ବିଜେପି ଦେବାଶିଷଙ୍କୁ ପୁଣି ଥରେ ପ୍ରାର୍ଥୀ ଦେଇ ପାରେ ବୋଲି ସଙ୍କେତ ଦେଇଛନ୍ତି ଶ୍ରୀ ପୂଜାରୀ। ପୂର୍ବରୁ ଆମେ ଦେଖିବା ବିଜେଡି ଛାଡ଼ି ବିଜେପିରେ ମିଶିଥିବା ମମତା ମହନ୍ତ ଓ ସୁଜିତ କୁମାରଙ୍କୁ ମଧ୍ୟ ଦଳ ନିରାଶ କରିନାହିଁ। ଅନ୍ୟପଟେ ବିଶେଷକରି ବିଭିନ୍ନ ଦଳ କାହାକୁ ପ୍ରାର୍ଥୀ କରିବେ ସେନେଇ ଦଳୀୟ ତତ୍ପରତା ଆରମ୍ଭ ହୋଇଯାଇଛି । ରାଜ୍ୟସଭା ଉପନିର୍ବାଚନକୁ ନେଇ ଏବେ ଓଡ଼ିଶା ରାଜନୀତିରେ ସରଗରମ ପରିସ୍ଥିତି ଦେଖିବାକୁ ମିଳିଛି । ଆଗାମୀ ଦିନରେ କେଉଁ ନେତାଙ୍କ ନାମ ସାମ୍ନାକୁ ଆସୁଛି ଏବଂ କେଉଁ ଦଳ କେମିତି ରଣନୀତି ଗ୍ରହଣ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

