ରାଜ୍ୟ

ରାସ୍ତା ନ ଥିବାରୁ ଭାର ବୁହା ହେଲେ ଗର୍ଭବତୀ ଡାକ୍ତରଖାନାରେ ଜମଜ ନବଜାତକଙ୍କ ମୃତ୍ୟୁ

ପାଟଣାଗଡ, ୨୮|୫(ସ.ପ୍ର ): କେବଳ ଘୋଷଣାରେ ରହିଯାଇଛି ଗାଁର ବିକାଶ ହିଁ ଦେଶର ବିକାଶ। ଗାଁକୁ ଗାଁ ବିକାଶ ନେଇ ଡିଣ୍ଡମ ପିଟୁଥିବାବେଳେ ବାସ୍ତବିକ ଚିତ୍ର କିନ୍ତୁ ଅଲଗା। ସାମାନ୍ୟ ରାସ୍ତା ଖଣ୍ଡିଏ ନଥିବାରୁ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ମାଆ ପ୍ରସବ କରି ପାରି ନଥିଲେ। ଯେତେବେଳେ ଆମ୍ବୁଲାନ୍ସ ଆସିଲା, ମେଡିକାଲ ଗଲାବେଳେ ସବୁ କିଛି ସରି ଯାଇଥିଲା। ମାଆକୁ ବଡ଼ କଷ୍ଟରେ ବଞ୍ଚାଇ ପାରିଥିବାବେଳେ ଠିକ ସମୟରେ ଜନ୍ମ ହୋଇ ନ ପାରି ଜମଜ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଭଳି ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଘୁନସର ପଞ୍ଚାୟତ ଚଚରାଭଟା ଗାଁର କୋଶଲ ପଡ଼ାରେ। ରାସ୍ତା ନ ଥିବାରୁ ଭାର ବୁହା ହେଲେ ଗର୍ଭବତୀ। ଗାଁରେ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ପରିବାର ଲୋକେ ଏକ ଖଟିଆରେ ବୋହି ଗର୍ଭବତୀକୁ ଆମ୍ବୁଲାନ୍ସ ଯାଏଁ ଆଣିଥିଲେ। ଆମ୍ବୁଲାନ୍ସ ପ୍ରଥମେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇଲା ପରେ ମହିଳା ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ହେଲେ ଆଉ ଏକ ଶିଶୁ ପେଟେର ଥିବା ଜାଣି ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ରେଫର କରିଥିଲେ। ସେଠାରେ ଆଉ ଏକ ଶିଶୁକୁ ଜନ୍ମ ଦେଇଥିବାବେଳେ ଶିଶୁ ମାନେ ଦୁର୍ବଳ ଥିବା ଦେଖି ଡାକ୍ତର ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ପଠାଇଥିଲେ। ହେଲେ ଡାକ୍ତରଖାନାରେ ପହଞ୍ଚିବା ବେଳକୁ ଯାଆଁଳା ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ, ଚଚରାଭଟା ଗ୍ରାମର କୋଶଲପଡାର ରୋହିତ ଧରୁଆଙ୍କ ସ୍ତ୍ରୀ ସୀମା ଧରୁଆ ଗର୍ଭ କଷ୍ଟ ପାଇବା ପରେ ଆମ୍ବୁଲାନ୍ସକୁ ଫୋନ କରିଥିଲେ ହେଲେ ମୂଳଗ୍ରାମଠାରୁ କୋଶଲପଡା  ଦେଢ଼ କିଲୋମିଟରରୁ ଅଧିକ ଦୂର ଥିବାବେଳେ ଆମ୍ବୁଲାନ୍ସ ଯିବା ପାଇଁ ରାସ୍ତା ନଥିବାରୁ ଭାରରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ। ହେଲେ ମେଡିକାଲ ନେବା ବେଳକୁ ସବୁ କିଛି ସରି ଯାଇଥିଲା। ଗାଁକୁ ସବୁ ଦିନିଆ ରାସ୍ତା ପାଇଁ ପଡାବାସୀ ଅନେକ ଦିନରୁ ଦାବି କରି ଆସୁଥିଲେ ହେଁ କେହି ଶୁଣୁନଥିବାବେଳେ ଆଜି ତାଙ୍କର ଦୁଇ ସନ୍ତାନକୁ ହରାଇ ଥିବା ନେଇ ସେ କୋହଭରା କଣ୍ଠରେ କହିଛନ୍ତି। ଏନେଇ  ସୂଚନା ପାଇ ଖପ୍ରାଖୋଲ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ନାଏକ ଗାଁରେ ପହଞ୍ଚି ଘଟଣା ବିଷୟରେ ପଚାରି ବୁଝିଥିଲେ। ଏନେଇ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କୁ ପଚାରିବାରୁ ସେ କହିଛନ୍ତି, ପଡ଼ାକୁ ରାସ୍ତା ନ ଥିବାବେଳେ ତହସିଲଦାରଙ୍କୁ ସରକାରୀ ସ୍ଥାନ ଚିହ୍ନଟ ପାଇଁ ଲେଖିଛି। ସରକାରୀ ସ୍ଥାନ ମିଳିଲେ  ଆଗାମି ଦିନରେ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

 

Leave a Reply

Your email address will not be published. Required fields are marked *