ପାକ୍ ରେ ଆତଙ୍କବାଦୀଙ୍କ ତାଣ୍ଡବଲୀଳା ପ୍ରତିଦିନ ୨ ରୁ ଅଧିକ ସୈନିକଙ୍କୁ ହତ୍ୟା
ଇସଲାମାବାଦ, ୨|୬: ପାକିସ୍ତାନରେ ଆତଙ୍କବାଦୀମାନେ ତାଣ୍ଡବ ଳୀଳା କରୁଥିବାବେଳେ ପ୍ରତିଦିନ ୨ ରୁ ଅଧିକ ସୈନିକଙ୍କୁ ହତ୍ୟା କରୁଥିବା ଜଣାପଡ଼ିଛି। ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଫର୍ କନଫ୍ଲିକ୍ଟ ଆଣ୍ଡ୍ ସିକ୍ୟୁରିଟି ଷ୍ଟଡିଜ୍ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀମାନେ ମେ’ ମାସରେ ୬୮ ଜଣ ସୈନିକଙ୍କୁ ହତ୍ୟା କରିଛନ୍ତି। ଏହା ସହିତ ୭୧ ଜଣ ସାଧାରଣ ନାଗରିକଙ୍କୁ ଜୀବନ ମଧ୍ୟ ଯାଇଛି। ମେ’ ମାସରେ ଆତଙ୍କବାଦୀ ଆକ୍ରମଣରେ ୩୭ ଜଣ ସୈନିକ ଆହତ ହୋଇଛନ୍ତି। ସେନା ସମ୍ପର୍କରେ ଏହି ରିପୋର୍ଟ ଏପରି ସମୟରେ ଆସିଛି ଯେତେବେଳେ ନିକଟରେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିର ଗୁଇନ୍ଦା ସୂଚନା ଆଧାରରେ ଆତଙ୍କବାଦୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଥିବା ଦାବି କରିଥିଲେ। ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ଏବଂ ଏପ୍ରିଲ ମାସରେ ତୁଳନାତ୍ମକ ଭାବରେ ଶାନ୍ତ ଥିବା ଆତଙ୍କବାଦୀମାନେ ମେ’ ମାସରେ ପୁଣି ଥରେ ସେମାନଙ୍କର ହିଂସା ବୃଦ୍ଧି କରିଛନ୍ତି। ସାରା ପାକିସ୍ତାନରେ ମୋଟ ୧୨୮ ଆତଙ୍କବାଦୀ ଆକ୍ରମଣ ରେକର୍ଡ କରାଯାଇଛି। ସେଥିରେ ଚାରୋଟି ଆତ୍ମଘାତୀ ଆକ୍ରମଣ ଅନ୍ତର୍ଭୁକ୍ତ ରହିଛି।। ମେ’ ମାସରେ ବେଲୁଚିସ୍ତାନ ଆତଙ୍କବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ପ୍ରଦେଶ ଭାବରେ ଉଭା ହୋଇଛି। ଖାଇବର ପଖତୁନଖ୍ୱା ଏବଂ ରାଜଧାନୀ ଇସଲାମାବାଦ ଆତଙ୍କବାଦୀ ଆକ୍ରମଣ ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି। ଆତଙ୍କବାଦୀଙ୍କ ଦ୍ୱାରା ସର୍ବାଧିକ ଅପହରଣ ଘଟଣା ବେଲୁଚିସ୍ତାନରେ ଦେଖିବାକୁ ମିଳିଛି। ମେ’ ମାସରେ, ସାରା ଦେଶରେ ମୋଟ ୫୪ଟି ଅପହରଣ ରିପୋର୍ଟ ହୋଇଛି। ସେଥି ମଧ୍ୟରୁ ୫୨ ମାମଲା ବେଲୁଚିସ୍ତାନରେ ଘଟିଛି।

