ବ୍ରିଟେନ ରାଜନୀତିରେ ହଟଚମଟ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଷ୍ଟାରମର୍ ୧୦ ବର୍ଷରେ ଷଷ୍ଠ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା
ଲଣ୍ଡନ : ବ୍ରିଟେନ ରାଜନୀତିରେ ହଟଚମଟ। ଲେବର ପାର୍ଟିରେ ଅଶାନ୍ତି ମଧ୍ୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ ସୋମବାର ଇସ୍ତଫା ଦେଇଛନ୍ତି। ୧୦ ବର୍ଷ ମଧ୍ୟରେ ଷ୍ଟାରମର୍ ହେଉଛନ୍ତି ଷଷ୍ଠ ପ୍ରଧାନମନ୍ତ୍ରୀ ଯିଏ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଛନ୍ତି। ତେବେ ଇସ୍ତଫା ଦେବା ପରେ ସେ କହିଛନ୍ତି ଯେ, ଦେଶର ସର୍ବୋତ୍ତମ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଦଳର ଦାୟିତ୍ୱ ନେବା ପାଇଁ ଜଣେ ନୂତନ ନେତାଙ୍କ ଏବଂ ପରବର୍ତ୍ତୀ ନିର୍ବାଚନ ଆଡକୁ ନେତୃତ୍ୱ ନେବାର ସମୟ ଆସିଛି। ଷ୍ଟାରମର୍ ଏକ ବିବୃତ୍ତିରେ କହିଛନ୍ତି ଯେ ଦଳ ଭିତରେ ଏକ ପ୍ରଶ୍ନ ଥିଲା ଯେ ମୁଁ ପରବର୍ତ୍ତୀ ନିର୍ବାଚନରେ ଦଳକୁ ନେତୃତ୍ୱ ଦେବି କି ନାହିଁ। ସଂସଦୀୟ ଦଳ ମୋ ନେତୃତ୍ୱ ଉପରେ ସନ୍ଦେହ କରିଥିଲା। ତେଣୁ ମୁଁ ସେହି ସ୍ୱରଗୁଡ଼ିକୁ ପ୍ରାଥମିକତା ଦେଇ ଇସ୍ତଫା ଦେଇଛି। ଷ୍ଟାରମର୍ ଆହୁରି କହିଛନ୍ତି ଯେ ମୁଁ ଯିହୂଦୀ ବିରୋଧୀତାକୁ ମୂଳପୋଛ କରିଛି ଏବଂ ଜାତୀୟ ସୁରକ୍ଷା ଏବଂ ଅର୍ଥନୀତିକୁ ପ୍ରାଥମିକତା ଦେଇଛି। ଦୁଇ ବର୍ଷ ପୂର୍ବେ ଯେତେବେଳେ ମୋତେ ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଇଥିଲା, ଏହା ମୋ ପାଇଁ ଏକ ଗର୍ବର ମୁହୂର୍ତ୍ତ ଥିଲା ବୋଲି ସେ କହିଛନ୍ତି। ଅନ୍ୟପଟେ ଷ୍ଟାରମରଙ୍କ ପ୍ରତିଦ୍ୱନ୍ଦ୍ୱୀ ଆଣ୍ଡି ବର୍ନହାମ ଏକ ସ୍ୱତନ୍ତ୍ର ନିର୍ବାଚନରେ ଗ୍ରେଟର ମାଞ୍ଚେଷ୍ଟରରେ ସଂସଦୀୟ ଆସନ ଜିତିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ରିପୋର୍ଟ ଅନୁଯାୟୀ, ଗତ କିଛି ସପ୍ତାହ ଧରି ସରକାରଙ୍କ ମଧ୍ୟରେ ବଢୁଥିବା ରାଜନୈତିକ ଚାପ ଏବଂ ଆଭ୍ୟନ୍ତରୀଣ ବିଭାଜନ ପରେ ଷ୍ଟାର୍ମର ଏହି ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ଗତ ୪୮ ଘଣ୍ଟା ମଧ୍ୟରେ ସେ ବରିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ, ରାଜନୈତିକ ପରାମର୍ଶଦାତା, ପ୍ରମୁଖ ଲେବର ପାର୍ଟି ସଦସ୍ୟ ଏବଂ ପ୍ରଭାବଶାଳୀ ଟ୍ରେଡ୍ ୟୁନିଅନ୍ ନେତାଙ୍କ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହାସହିତ ଷ୍ଟାର୍ମର ତାଙ୍କ ସରକାରୀ ବାସଭବନ ଚେକର୍ସରେ ତାଙ୍କ ପତ୍ନୀଙ୍କ ସହ ଏହି ବିଷୟରେ ଆଲୋଚନା କରିଥିଲେ।

