ଜାତୀୟତାଜା ଖବର

ଏନଟିପିସି ମେଡିକାଲ କଲେଜକୁ ଏନ୍ଏମ୍ସି ନୋଟିସ୍

ସୁନ୍ଦରଗଡ : ସୁନ୍ଦରଗଡ଼  ସମେତ ଦେଶର ୭୦ଟି ଭେଷଜ ମହାବିଦ୍ୟାଳୟକୁ ଭାରତ ସରକାରଙ୍କ ଜାତୀୟ ଆୟୁର୍ବିଜ୍ଞାନ ଆୟୋଗ (ଏନ୍‌ଏମ୍‌ସି)ଙ୍କ ନୋଟିସ। ଆୟୋଗଙ୍କ ମାର୍ଗଦର୍ଶିକା ଓ ନିୟମାବଳୀ ଅନୁସାରେ ମହାବିଦ୍ୟାଳୟରେ ଆବଶ୍ୟକ ଭିତ୍ତଭୂମି ସମ୍ପୂର୍ଣ୍ଣ ହୋଇ ନଥିବା ଦର୍ଶାଇ  ଏହି ନୋଟିସ ଜାରି କରାଯାଇଛି। ବିଶେଷ କରି ୨୫ଟି ସିସିଟିଭି କ୍ୟାମେରା ସ୍ଥାପନ ଓ ନେଟୱାର୍କ ଭିଡିଓ ରେକର୍ଡର (ଏନ୍‌ଭିଆର୍) ମାଧ୍ୟମରେ ଆୟୋଗଙ୍କ ସମାଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ସହ ଯୋଡ଼ିବାକୁ କୁହାଯାଇଛି। ଏହା ସହ ଅତିଶୀଘ୍ର ଅଧ୍ୟାପକ ଅଭାବ ପୂରଣ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଅନେକଥର ଆୟୋଗ ଏ ସଂକ୍ରାନ୍ତରେ ଚିଠି କରିଥିଲେ ମଧ୍ୟ ମହାବିଦ୍ୟାଳୟ ଏହାକୁ ଅଣଦେଖା କରି ଆସୁଛନ୍ତି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ତଥା ଏହାର ଆଖପାଖ ଜିଲ୍ଲାର ଜନସାଧାରଣଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଦର୍ଲିପାଲିସ୍ଥ ଏନଟିପିସିର ପାରିପାର୍ଶ୍ବକ ବିକାଶ ଓ ସାମାଜିକ ଦାୟିତ୍ବବୋଧ ପାଣ୍ଠିରୁ ୪୧୭.୭୭ କୋଟି ବ୍ୟୟରେ ସୁନ୍ଦରଗଡ଼ ଶଙ୍କରାଠାରେ ୨୧ ଏକର ଜମିରେ ପ୍ରତିଷ୍ଠିତ ଅତ୍ୟାଧୁନିକ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାରେ ୨୦୨୨-୨୩ ଶିକ୍ଷାବର୍ଷରୁ ଡାକ୍ତରୀ ପାଠପଢ଼ା ଚାଲିଛି। ଏହା ସହ ୨୦୨୪ ମାର୍ଚ୍ଚରୁ ପୂର୍ଣ୍ଣ କ୍ଷମତାରେ ରୋଗୀ ସେବା ଆରମ୍ଭ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ସହ ପଡ଼ୋଶୀ ଜିଲ୍ଲା ଓ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାରଖଣ୍ଡର ଲୋକେ ନିର୍ଭର କରୁଥିବା ୫ ଶହ ଶଯ୍ୟା ବିଶିଷ୍ଟ ଏହି ସ୍ବାସ୍ଥ୍ୟ ସଂସ୍ଥାନରେ ଉନ୍ନତ ତଥା ଜରୁରୀ ଓ ଜଟିଳ ଚିକିତ୍ସା ପାଇବେ ବୋଲି ସ୍ବାଭାବିକ ଭାବେ ଲୋକଙ୍କ ଆଶା ଓ ଭରସା ବଢ଼ିଥିଲା। କିନ୍ତୁ ସବୁଥାଇ ବି ଏ ଦୁଇ ଡାକ୍ତରଖାନା ନାହିଁ ନାହିଁରେ ଚାଲିଛି | ଉନ୍ନତ ଭିତ୍ତଭୂମି, ଅତ୍ୟାଧୁନିକ ଚିକିତ୍ସା ଉପକରଣ ଅଛି। କିନ୍ତୁ ସେସବୁକୁ ପରିଚାଳନା କରିବାକୁ ବିଶେଷଜ୍ଞ ବା ତତ୍ତ୍ବାବଧାରକ ନାହାନ୍ତି। ଯାହାଫଳରେ ସେସବୁ ରୋଗୀ ସେବାରେ ନ ଲାଗି ଖତଖାଉଛି।

Leave a Reply

Your email address will not be published. Required fields are marked *