ଥମୁନି ଦାଦନ ଯନ୍ତ୍ରଣା ରୋଜଗାର ପାଇଁ ଯାଇଥିଲେ ପଙ୍ଗୁ ହୋଇ ଫେରିଲେ ଶଯ୍ୟାଶାୟୀ ହେଲେ ୨ ଭାଇ
ବଲାଙ୍ଗୀର : ଥମୁନି ଦାଦନ ଯନ୍ତ୍ରଣା। ସରକାର ଯେତେ ଯୋଜନା କଲେବି ସବୁ ଫସରଫାଟି ଯାଉଛି। ଦାଦନଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି। ରୋଜଗାର ପାଇଁ ବାହାର ରାଜ୍ୟକୁ ଯାଇଥିବାବେଳେ ୨ ଭାଇ ପଙ୍ଗୁ ହୋଇ ଘରରୁ ଫେରିଛନ୍ତି। ଏଭଳି ଦୃଶ୍ୟ ଦେଖି ପରିବାର ଲୋକେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଦାଦନ ପାଇଁ ଯାଇ ଘରର ଭେଣ୍ଡିଆ ପୁଅ ଏବେ ଶଯ୍ୟାଶାୟୀ ହୋଇପଡ଼ିଛନ୍ତି। ଏଭଳି ଦାଦନ ଦୁଃଖରେ ଛଟପଟ ହେଉଛନ୍ତି ବଲାଙ୍ଗୀର ତୁରେକେଲା ଗାଁର ଗୋଟିଏ ପରିବାର। ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିବା ଗୋଟିଏ ପରିବାରର ଦୁଇ ଦୁଇ ଜଣ ମୁରବୀ ଆଜି ପଙ୍ଗୁ ସାଜି ଘରକୁ ଫେରିଛନ୍ତି। ମାଲିକର ଅବହେଳା ଏବଂ ଦଲାଲର ପ୍ରତାରଣା ଯୋଗୁଁ ଆଜି ଦୁଇ ଭାଇ ଜୀବନ୍ତ ଶବ ପାଲଟି ଯାଇଛନ୍ତି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହଲନଭଟା ଗାଁ। କପିଳ କାଣ୍ଡ, ବୟସ ୬୩ ହେବ। ତାଙ୍କ ସାନଭାଇ ଭୁବନ କାଣ୍ଡ, ବୟସ ୫୯ ହେବ। ଦୁଇ ଭାଇ ଏବେ ପଙ୍ଗୁ। ଜଣଙ୍କର ପାଦ ଝିଣ୍ଡିଯାଇଥିବାବେଳେ ଆଉ ଜଣଙ୍କ ଗୋଡ଼ ଓ ହାତରେ ଗଭୀର ଆଘାତ ଲାଗିଛି। ଦୁହେଁ ଏବେ ଶତ ପ୍ରତିଶତ ଦିବ୍ୟାଙ୍ଗ। କିଛି ମାସ ତଳେ ଗାଁର ଜଣେ ମହିଳା ଦାଦନ ଦଲାଲ ମୁଣ୍ଡ ପିଛା ୫୦ ହଜାର ଟଙ୍କା ଅଗ୍ରୀମ ଦେଇ ଦୁଇ ଭାଇଙ୍କୁ ହାଇଦ୍ରାବାଦର ଏକ ଇଟାଭାଟିକୁ କାମ କରିବାକୁ ପଠାଇଥିଲା। ଆଶା ଥିଲା ଦୁଇ ପଇସା ରୋଜଗାର ହେବ ପରିବାର ପ୍ରତିପୋଷଣ ହେବ। ହେଲେ ବିଧିର ବିଧାନ ଥିଲା କିଛି ଓଲଟା। କାମ କରୁଥିବା ସମୟରେ ଇଟାଭାଟିର ପାଣି ଟ୍ୟାଙ୍କର ଭାଙ୍ଗିଯାଇ କପିଳ ଓ ଭୁବନଙ୍କ ଉପରେ ପଡ଼ିଗଲା। ଇଟାଭାଟି ମାଲିକ ପ୍ରାଥମିକ ଚିକିତ୍ସା କରି ଛାଡ଼ିଦେଲା। ମହିଳା ଦଲାଲ ମୁଣ୍ଡ ପିଛା ୫୦ ହଜାର ଟଙ୍କା ଦେଇ ନିଜ କାମ ସାରିଦେଇଛି। ମାଲିକର ଅବହେଳା ଏବଂ ଦଲାଲର ପ୍ରତାରଣା ଯୋଗୁଁ ପଙ୍ଗୁ ହୋଇଗଲେ ଦୁଇ ଭାଇ। ଏବେ ସେମାନଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି। ଚିକିତ୍ସା ତ ଦୂରର କଥା, ଦୁଇ ଓଳି ଗଣ୍ଡେ ଖାଇବାକୁ ମଧ୍ୟ ଏହି ପରିବାର ଅକ୍ଷମ। ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଦୁଇ ପରିବାର। ସେପଟେ ଆମେ ସହାୟତା କରିବୁ ବୋଲି କହିଛନ୍ତି ସ୍ଥାନୀୟ ବିଡ଼ିଓ।

