ହରଡ଼ଘଣାରେ ଦିଦି ! ମମତାଙ୍କ ବିରୋଧରେ ମେଳି, ୫୦ ବିଧାୟକ ଛାଡିପାରନ୍ତି ଦଳ
ପଶ୍ଚିମବଙ୍ଗ,୨|୫: ମମତାଙ୍କ ବିରୋଧରେ ମେଳି ଚାଲିଥିବାବେଳେ ଏବେ ହରଡ଼ଘଣାରେ ପଡ଼ିଛନ୍ତି ଦିଦି। ଟିଏମସିର ୫୦ ବିଧାୟକ ଖୁବଶୀଘ୍ର ଦଳ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ବଙ୍ଗରେ ଟିଏମସି କ୍ଷମତା ହରାଇବା ପରେ ଦଳକୁ ସଙ୍ଗଠିତ ରଖିବା ମମତା ବାନାର୍ଜୀଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗର ବର୍ତ୍ତମାନର ରାଜନୈତିକ ପରିସ୍ଥିତି କେବଳ ବାହ୍ୟ ବିରୋଧ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଦଳ ଭିତରେ ଏକ ଆଭ୍ୟନ୍ତରୀଣ ବିଦ୍ରୋହ – ବିଧାୟକ ଏବଂ ସାଂସଦଙ୍କ ବିଦ୍ରୋହ ଟିଏମସି ପାଇଁ ଅସୁବିଧା ସୃଷ୍ଟି କରିଛି । ଚର୍ଚ୍ଚା ହେଉଛି କି ଦିଦି ଏବେ ଟିଏମସି ନାମ ଏବଂ ଚିହ୍ନ ହରାଇବେ । ଗତକାଲି ଟିଏମସି ମୁଖ୍ୟ ମମତା ବାନାର୍ଜୀ ଦୁଇ ଜଣ ବିଧାୟକଙ୍କୁ ବହିଷ୍କାର କରିଛନ୍ତି । ଏହି ଘଟଣା ଏପରି ସମୟରେ ହୋଇଛି ଯେବେ କାଉନସିଲରମାନେ ଇସ୍ତଫା ଦେଇଛନ୍ତି । ବରିଷ୍ଠ ନେତା ଟିଏମସି କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିବା ଦେଖିବାକୁମିଳିଛି । ଏବେ ଆକଳନ କରାଯାଉଛି ଯେ, ୫୦ ଜଣ ଟିଏମସି ବିଧାୟକ ଦଳ ଛାଡିପାରନ୍ତି । ଦଳ ବିଭାଜିତ ହେବା ଚର୍ଚ୍ଚା ଆରମ୍ଭ ହୋଇଛି । ୨ ଜଣ ବିଧାୟକଙ୍କ ଇସ୍ତଫା ପରେ ବିଧାନସଭାରେ ଟିଏମସର ସଂଖ୍ୟା ୭୮କୁ ହ୍ରାସ ପାଇଛି । ରୀତାବ୍ରତ ବାନାର୍ଜୀ ଏବଂ ସନ୍ଦିପନ ସାହାଙ୍କ ଦ୍ୱାରା ନୂଆ ଟିଏମସି ଗଠନ ହୋଇପାରେ ବୋଲି ଗୁଜବ ଉଠିଛି । ଯଦି ୫୦ ଜଣ ଟିଏସି ବିଧାୟକ ଭାଙ୍ଗି ଏକ ନୂଆ ଗୋଷ୍ଠୀ ଗଠନ କରନ୍ତି, ତେବେ ବଙ୍ଗଳାରେ ମହାରାଷ୍ଟ୍ର ରାଜନୀତି ପୁନରାବୃତ୍ତି ଦେଖିପାରେ । ଯେତେବେଳେ ଏକନାଥ ସିନ୍ଦେ ଏବଂ ତାଙ୍କ ବିଧାୟକମାନେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାରୁ ଅଲଗା ହୋଇଗଲେ । ଠାକରେ ଶିବସେନାର ନାମ ଏବଂ ପ୍ରତୀକ ହରାଇଲେ । ଅନୁରୂପ ଘଟଣା ପ୍ରବୀଣ ନେତା ଶରଦ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ସହିତ ଘଟିଥିଲା ।

