୧୦ କିମି ବାଇକରେ ବୁହା ହେଲା ମୃତଦେହ
ନବରଙ୍ଗପୁର: ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ମିଳିବା ତ ଦୂର କଥା, ମଲା ପରେ ବି ଶବବାହକ ଗାଡ଼ି ବି ମିଳୁନି। ଏପରିକି ଅନେକ ସ୍ଥାନରେ ଶବବାହକ ଗାଡ଼ି ଟଙ୍କା ଦାବି କରୁଥିବାବେଳେ ଗରିବଗୁରୁବା ଲୋକଟି ଟଙ୍କା ଦେଇ ନପାରି ବାଧ୍ୟ ହୋଇ କିଏ କାନ୍ଧରେ ତ କିଏ ବାଇକରେ ନିଜ ପରିଜନଙ୍କ ମୃତଦେହ ନେଉଥିବା ଦେଖିବାକୁ ମିଳୁଛି। ସବୁଠାରୁ ଦୁଃଖର ବିଷୟ ହେଲା ମାନବିକତା ମରି ମରି ଯାଉଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି। ସ୍ଥାନୀୟ ଲୋକେ ସହାୟତାର ହତା ବଢ଼ାଇଲେ ଏଭଳି ଅଭବନୀୟ ଚିତ୍ର ଦେଖିବାକୁ ମିଳିବନି ବୋଲି ଚର୍ଚ୍ଚା ହେଉଛି। ଝାରସୁଗୁଡ଼ା ଓ ରାୟଗଡ଼ା ପରେ ଏବେ ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ଆସିଛି ଏଭଳି ଅଭାବନୀୟ ଚିତ୍ର। ପ୍ରାୟ ୧୦ କିଲୋମିଟର ଦୂର ବାଇକରେ ବୁହା ହେଲା ଜଣେ ନାବାଳିକାଙ୍କ ମୃତଦେହ। ଜଣେ ଅସହାୟ ପରିବାରର ଏହି ଦୃଶ୍ୟ ପୁଣିଥରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଜରୁରୀକାଳୀନ ସେବା ଉପରେ ପ୍ରଶ୍ନ ଉଠାଇଛି। ସୂଚନା ଅନୁଯାୟୀ ଉମରକୋଟ ବ୍ଲକ ସାନଭରଣ୍ଡୀ ଗ୍ରାମରେ ଏକ ସଂପର୍କୀୟ ଘରେ ନାବାଳିକା ଅନିତା ଲହରାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକଙ୍କ କହିବା ଅନୁସାରେ, ସେ ଦୀର୍ଘଦିନ ଧରି କୌଣସି ଏକ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ପରେ ତାଙ୍କ ମୃତଦେହକୁ ଉମରକୋଟ ବ୍ଲକ ମୁର୍ତ୍ତୁମା ପଞ୍ଚାୟତ ଅମ୍ବାଗୁଡା ଗ୍ରାମରେ ଥିବା ମାମୁଁ ଘରକୁ ନିଆଯାଇଥିଲା। ସାନ ଭରଣ୍ଡୀ ସ୍ଥିତ ସମ୍ପର୍କୀୟ ଙ୍କ ଘରେ ମୃତ୍ୟୁ ହୋଇଥିବା ଯୋଗୁଁ ସେହି ଗ୍ରାମରେ ଶବ ସତ୍କାର ନକରି, ପୂର୍ବରୁ ରହୁଥିବା ମାମୁ ଘରେ ଶବ ସତ୍କାର ପାଇଁ ନାବାଳିକାଙ୍କୁ ଅଣାଗଲା ବୋଲି କହିଛନ୍ତି ସମ୍ପର୍କୀୟ। ତେବେ ପରିବାର ଲୋକେ ଏକ ବାଇକ ଯୋଗେ ପ୍ରାୟ ୧୨ କିଲୋମିଟର ଶବକୁ ଆଣିଥିବାର ଦେଖିବାକୁ ମିଳିଥିଲା। ଅନ୍ୟ ପଟେ ନାବାଳିକାଙ୍କ ମୃତ୍ୟୁ ସମ୍ପର୍କୀୟଙ୍କ ଘରେ ହୋଇଥିବାରୁ ସେମାନେ ସରକାରୀ ସୁବିଧା ମିଳିବ କି ନାହିଁ ଭାବି ବାଧ୍ୟ ହୋଇ ସମ୍ପର୍କୀୟମାନେ ବାଇକରେ ପ୍ରାୟ ୧୨ କିଲୋମିଟର ଦୂର ମୃତଦେହକୁ ବୋହି ନେଇଥିଲେ ବୋଲି କହିଛନ୍ତି।

