ତ୍ବିଷା ହତ୍ୟା ମାମଲା ସିବିଆଇର ‘ଟନେଲ ଭିୟୁ ତଦନ୍ତ’ ଆରମ୍ଭ
ଭୋପାଳ,୨୯|୫: ତ୍ବିଷା ହତ୍ୟା ମାମଲାରେ ସିବିଆଇର ‘ଟନେଲ ଭିୟୁ ତଦନ୍ତ’ ଆରମ୍ଭ ହୋଇଛି। ମଡେଲ ତ୍ବିଷା ଶର୍ମାଙ୍କ ମୃତ୍ୟୁ କେମିତି ହୋଇଥିଲା ଏବେବି ତାକୁ ନେଇ ସସ୍ପେନ୍ସ ଲାଗି ରହିଛି। ତ୍ବିଷା ଆତ୍ମହତ୍ୟା କରିଥିବା ଶ୍ବଶୁର ଘର ଲୋକ କହୁଛନ୍ତି। ତେବେ ତ୍ବିଷାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କ’ଣ ହୋଇଥିଲା ଜାଣିବା ପାଇଁ ସିବିଆଇ ଏକ ବିଶେଷ ପଦ୍ଧତିର ସାହାଯ୍ୟ ନେଉଛି। ଟନେଲ ଭିୟୁ ଏପରି ଏକ ପଦ୍ଧତି ଯାହା ମାଧ୍ୟମରେ ତଦନ୍ତକାରୀମାନେ ସିସିଟିଭି, ଫୋନ୍ ରେକର୍ଡ, ୱାଇଫାଇ ଲଗ୍, ଇଣ୍ଟରନେଟ୍ କାର୍ଯ୍ୟକଳାପ, ସ୍ମାର୍ଟ-ଡିଭାଇସ୍ ଡାଟା, ଫୋରେନସିକ୍ ମ୍ୟାପିଂ ଓ ସାକ୍ଷୀଙ୍କ ଆକାଉଣ୍ଟଗୁଡ଼ିକୁ ଏକ ଫୋକସ ଟାଇମଲାଇନରେ ସିଙ୍କ୍ରୋନାଇଜ୍ କରନ୍ତି ଯାହା ଦ୍ୱାରା ତ୍ବିଷାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ କ’ଣ ହୋଇଥିଲା ଡିଜିଟାଲ୍ ଭାବରେ ପୁନଃନିର୍ମାଣ କରାଯାଇପାରିବ। ଶେଷ ଘଣ୍ଟାର ସିନ୍ ରିକ୍ରିଏଟ୍ ମଧ୍ୟ କରାଯିବ, ଯଦ୍ବାରା ଶେଷରେ ତ୍ବିଷାଙ୍କ ସହିତ କ’ଣ ହୋଇଥିଲା ତାହା ଜଣାପଡ଼ିଯିବ। ସେହି ସମୟରେ କିଏ ଆସିଥିଲା, କିଏ ଗଲା ଜଣାପଡ଼ିଯିବ, ଏହାଦ୍ବାରା ସମସ୍ତ ଜରୁରୀ ଘଟଣାର ଏକ ଟାଇମଲାଇନ୍ ରହିବ ଓ ଏହାକୁ ଯୋଡ଼ି ମୃତ୍ୟୁର ରହସ୍ୟ ଜଣାପଡ଼ିଯିବ। ସିବିଆଇ ସିସିଟିଭି ଫୁଟେଜ ଓ ମୋବାଇଲ ଫୋନ୍ ରେକର୍ଡ଼ ଯାଞ୍ଚ କରୁଛି। ୱାଇ-ଫାଇ ଲଗ୍ସ, ଘରେ ଥିବା ଫୋନ୍ର କଲ ରେକର୍ଡ଼ ଯାଞ୍ଚ କରୁଛି। ଏହାସହିତ ଘରର ଫୋରେନସିକ୍ ମ୍ୟାପିଂ ମଧ୍ୟ କରୁଛି। ସେହି ସମୟରେ କୌଣସି ସନ୍ଦିଗ୍ଧ ଘଟଣା ଘଟିଛି କି ନାହିଁ ତା’ର ତଦନ୍ତ କରୁଛି। ସୂତ୍ର ଅନୁଯାୟୀ, ଡିଜିଟାଲ ପୁନଃଯାଞ୍ଚ ଦ୍ବାରା ତ୍ବିଷାଙ୍କ ମୃତ୍ୟୁ ହୋଇଥିବା ରାତିରେ କ’ଣ ଘଟିଥିଲା ତାହା ତଦନ୍ତକାରୀ ଜାଣିପାରିବେ। ନୋଏଡାର ଜଣେ ପୂର୍ବତନ ଅଭିନେତ୍ରୀ ଓ ମଡେଲ ତ୍ବିଷା ଗତ ଡିସେମ୍ବରରେ ଭୋପାଳର ସମର୍ଥ ସିଂହଙ୍କୁ ବିବାହ କରିଥିଲେ। ମେ ୧୨ ତାରିଖରେ ତାଙ୍କୁ ରହସ୍ୟମୟ ପରିସ୍ଥିତିରେ ତାଙ୍କ ଶ୍ବଶୁର ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

