ଭାରତର ସୁରକ୍ଷାରେ ଏଆଇ ଆଣ୍ଟି-ଡ୍ରୋନ୍ କବଚ
ନୂଆଦିଲ୍ଲୀ,୨୭|୫: ସୀମା ଆରପଟୁ ଡ୍ରୋନ୍ର ବିପଦ ନିରନ୍ତର ବଢୁଥିବା ବେଳେ ଭାରତର ସୁରକ୍ଷାରେ ଏବେ ଏଆଇ ଆଣ୍ଟି-ଡ୍ରୋନ୍ କବଚ।ଭାରତ ଏଭଳି ଏକ ସ୍ୱଦେଶୀ ଅସ୍ତ୍ର ଆଣିଛି, ଯାହା ଶତ୍ରୁର ଡ୍ରୋନ୍କୁ ଆକାଶରେ ଚିହ୍ନଟ କରି ନଷ୍ଟ କରିଦେବ । ଜେନ୍ ଟେକ୍ନୋଲୋଜିସ୍ର ଏଆଇ ଆଧାରିତ ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ । ଏହା ଏକସଙ୍ଗେ ଅନେକ ଡ୍ରୋନ୍କୁ ଟ୍ରାକ୍ କରି ନିଷ୍କ୍ରିୟ କରିବାରେ ସକ୍ଷମ । ପ୍ରୟାଗରାଜରେ ଆୟୋଜିତ ନର୍ଥ ଟେକ୍ ସିମ୍ପୋଜିୟମ୍-୨୦୨୬ରେ ଉନ୍ମୋଚିତ ଏହି ପ୍ରଣାଳୀକୁ ବାହନ, ସୈନ୍ୟ ଠିକଣା ଓ ଫିଲ୍ଡ ଅପରେସନ୍ରେ ପ୍ରୟୋଗ କରାଯାଇ ପାରିବ । ଖାସ୍ କଥା ହେଉଛି ଏହି ପ୍ରଣାଳୀ ଡ୍ରୋନ୍ ଚିହ୍ନଟ, ଜାମିଂ ଓ ପ୍ରତିଆକ୍ରମଣ ଭଳି ଅନେକ କ୍ଷମତାସମ୍ପନ୍ନ । ଭବିଷ୍ୟତର ଡ୍ରୋନ୍ ଯୁଦ୍ଧରେ ଏହି ଟେକ୍ନୋଲୋଜି ଭାରତୀୟ ସେନାର ଶକ୍ତିକୁ ଅନେକ ଗୁଣ ବଢ଼ାଇବ ବୋଲି ଆଶା କରାଯାଉଛି । କମ୍ପାନି ଅନୁସାରେ, ଏହି ପ୍ରଣାଳୀ ୧୫ କିମିରୁ ଅଧିକ ଦୂର ଯାଏ ଡ୍ରୋନ୍ ଚିହ୍ନଟ କରିପାରେ ଏବଂ ଏକସଙ୍ଗେ ଶତାଧିକ ଡ୍ରୋନ୍ ଚିହ୍ନଟ କରିପାରେ । ଏହି ଆଣ୍ଟି-ଡ୍ରୋନ୍ ସିଷ୍ଟମ୍କୁ ସୈନ୍ୟ ନିଜ ସାଙ୍ଗରେ ଯୁଦ୍ଧକ୍ଷେତ୍ରକୁ ନେଇପାରିବେ । ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା ରୂପେ ସୈନ୍ୟ ଠିକଣା କିମ୍ବା ଗୁରୁତ୍ୱପୂର୍ଣ୍ଣ ଅଟ୍ଟାଳିକାଗୁଡ଼ିକରେ ମଧ୍ୟ ଏହାକୁ ମୁତୟନ କରାଯାଇ ପାରିବ । ଏହା ସେନାକୁ ଭିନ୍ନ ଭିନ୍ନ ଯୁଦ୍ଧ ପରିସ୍ଥିତିରେ ଦ୍ରୁତ ପ୍ରତିକ୍ରିୟା ଦେବାରେ ସହାୟକ ହେବ । ରିମୋଟ କଣ୍ଟ୍ରୋଲ ଅସ୍ତ୍ର ପ୍ରଣାଳୀ ଓ ଏୟାର ଡିଫେନ୍ସ ଗନ୍କୁ ମଧ୍ୟ ଏଥିରେ ସଂଲଗ୍ନ କରାଯାଇ ପାରିବ, ଯାହା ଦ୍ୱାରା ଶତ୍ରୁ ଡ୍ରୋନ୍କୁ ବାୟୁରେ ହିଁ ନଷ୍ଟ କରାଯାଇ ପାରିବ । ଏହି ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ରେ ଏକ ଉନ୍ନତ ଡାଟା ଫ୍ୟୁଜନ୍ ଓ କମାଣ୍ଡ ସେଣ୍ଟର ମଧ୍ୟ ରହିଛି, ଯାହା ଅଲଗା ଅଲଗା ସେନ୍ସରରୁ ମିଳିଥିବା ତଥ୍ୟକୁ ଯୋଡ଼ି ବିପଦକୁ ଚିହ୍ନଟ କରିବ ଏବଂ ପ୍ରତିଆକ୍ରମଣ ଲାଗି କାର୍ଯ୍ୟ କରିବ । ଏହା ଦ୍ୱାରା ଯୁଦ୍ଧକ୍ଷେତ୍ରରେ ସୈନ୍ୟଙ୍କ ସୁରକ୍ଷା ଓ ମିଶନ ସଫଳତାର ସମ୍ଭାବନା ଖୁବ୍ ବଢ଼ିଯିବ । କମ୍ପାନିର ଅଧ୍ୟକ୍ଷ ଅଶୋକ ଅଟଲୁରୀ କହିଛନ୍ତି, ଏହା ସମ୍ପୂର୍ଣ୍ଣ ରୂପେ ସ୍ୱଦେଶୀ ଟେକ୍ନୋଲୋଜି ଉପରେ ଆଧାରିତ ।

