ଆନ୍ତର୍ଜାତୀୟତାଜା ଖବର

ପାକିସ୍ତାନରେ ସଙ୍କଟରେ ସଂଖ୍ୟାଲଘୁ ଗୁରୁଦ୍ୱାର ଭିତରେ ବୃଦ୍ଧ ଶିଖ୍ ଦମ୍ପତିଙ୍କୁ ନିର୍ମମ ହତ୍ୟା

ପାକିସ୍ତାନ: ପାକିସ୍ତାନରେ ପୁଣି ଥରେ ଦେଖିବାକୁ ମିଳିଛି ବର୍ବରକାଣ୍ଡ। ଗୁରୁଦ୍ୱାର ଭିତରେ ବୃଦ୍ଧ ଶିଖ୍‌ ଦମ୍ପତିଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଜଣାପଡ଼ିଛି। ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶସ୍ଥିତ ମର୍ଦାନ ଜିଲ୍ଲାର ବାବୁ ମୋହଲ୍ଲାରେ ଥିବା ଏକ ଗୁରୁଦ୍ୱାର ପରିସରରେ ଜଣେ ବୃଦ୍ଧ ଶିଖ ଦମ୍ପତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଯାହାକୁ ନେଇ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ଉପରେ ପୁଣି ଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗୁରୁଦ୍ୱାରର ସେବାଦାର ତଥା ତତ୍ତ୍ୱାବଧାରକ ଭାବେ କାର୍ଯ୍ୟ କରୁଥିବା ୭୦ ବର୍ଷୀୟ ଜଗନ୍ନାଥ ଓ ତାଙ୍କ ପତ୍ନୀ ଆସମା ୱାଣ୍ଟିଙ୍କୁ କିଛି ଅଜ୍ଞାତ ଦୁର୍ବୃତ୍ତ ଗୁରୁଦ୍ୱାର ଭିତରକୁ ପଶି ଅତର୍କିତ ଭାବେ ଗୁଳି କରି ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଦୁର୍ଘଟଣା ସମୟରେ ଗୁରୁଦ୍ୱାର ସୁରକ୍ଷା ପାଇଁ ନିୟୋଜିତ ଥିବା ପୋଲିସ କର୍ମଚାରୀ ସେଠାରେ ଉପସ୍ଥିତ ନଥିଲେ ଏବଂ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାର ଡିଜିଟାଲ୍ ଭିଡିଓ ରେକର୍ଡର୍ ମଧ୍ୟ ଅଚଳ ଥିଲା, ଯାହା ତଦନ୍ତ ପ୍ରକ୍ରିୟାକୁ ଜଟିଳ କରିଛି। ମର୍ଦାନ ଜିଲ୍ଲା ପୋଲିସ ମୃତଦେହକୁ ଉଦ୍ଧାର କରି ହସ୍ପିଟାଲ ପଠାଇବା ସହ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛନ୍ତି । ଏହି ବର୍ବରକାଣ୍ଡକୁ ନେଇ ସମ୍ପୃକ୍ତ ଅଞ୍ଚଳର ରାଜ୍ୟପାଳ ଫୈସଲ କରିମ କୁଣ୍ଡି ଦୁଃଖ ପ୍ରକାଶ କରିବା ସହ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଭାରତରେ ମଧ୍ୟ ଏହି ଘଟଣାର ତୀବ୍ର ନିନ୍ଦା କରାଯାଇଛି । ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଗ୍ ଓ ମୁଖପାତ୍ର ଆର.ପି. ସିଂହ ଅଭିଯୋଗ କରିଛନ୍ତି ଯେ, ପାକିସ୍ତାନ ୧୯୫୦ ମସିହାର ‘ନେହେରୁ-ଲିଆକତ ଚୁକ୍ତି’ ଅନୁଯାୟୀ ନିଜ ଦେଶରେ ଥିବା ସଂଖ୍ୟାଲଘୁଙ୍କ ଜୀବନ ଓ ଧନ ସୁରକ୍ଷା ଦେବାର ପ୍ରତିଶ୍ରୁତି ପାଳନ କରିବାରେ ବାରମ୍ବାର ବିଫଳ ହୋଇଛି। ପାକିସ୍ତାନରେ ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ, ଅହମଦିଆ ଓ ସିଆ ସମ୍ପ୍ରଦାୟଙ୍କ ଉପରେ ହେଉଥିବା ଏଭଳି ଧାର୍ମିକ ନିର୍ଯାତନା, ବଳପୂର୍ବକ ଧର୍ମାନ୍ତରୀକରଣ ଓ ହିଂସାକାଣ୍ଡ ଏବେ ଆନ୍ତର୍ଜାତୀୟ ସ୍ତରରେ ଚିନ୍ତାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *