ଜାତୀୟତାଜା ଖବର

ଏନଡିଏର ପଲ୍ଲା ଭାରି! ସଂସଦରେ ପୁଣି ଆସିପାରେ ମହିଳା ବିଲ୍ !

ନୂଆଦିଲ୍ଲୀ() ଗୃହରେ ପଲ୍ଲା ଭାରି କରିବା ପାଇଁ ଧୀରେ ଧୀରେ ବଳ ଗୋଟାଉଛି ଏନଡିଏ। ଆଗାମୀ ମୌସୁମୀ ଅଧିବେଶନରେ ପୁଣି ଥରେ ଲୋକସଭା ଓ ରାଜ୍ୟସଭାକୁ ଆସିପାରେ ମହିଳା ବିଲ୍ । ମହିଳା ସଂରକ୍ଷଣ ସହିତ ସଂଲଗ୍ନ ସମ୍ୱିଧାନ ସଂଶୋଧନ ବିଲ୍ ଆଗତ କରିପାରେ କେନ୍ଦ୍ର । ପୁଣି ସୀମା ପୁନଃନିର୍ଦ୍ଧାରଣ ବିଲ୍ ପାରିତ କରାଇବାକୁ ଅଣ୍ଟା ଭିଡ଼ିପାରନ୍ତି ମୋଦୀ ସରକାର । ଗତ ଏପ୍ରିଲରେ ଲୋକସଭାରେ ବିଲ୍ କାଟ୍ ଖାଇବା ପରେ, ଶାସକ ଏନ୍‌ଡିଏକୁ ଲାଗିଥିଲା ଶକ୍ତ ଧକ୍କା । ହେଲେ ଇତିମଧ୍ୟରେ କଡ଼ ଲେଉଟାଇଛି ରାଜନୀତି । ଟିଏମ୍‌ସି, ୟୁବିଟି, ଏପରିକି ବିଜେଡିରୁ ସାଂସଦ ଆମଦାନୀ କରି, ଉଭୟ ଲୋକସଭା ଓ ରାଜ୍ୟସଭାରେ ନିଜ ସଂଖ୍ୟା ବଢ଼ାଇଛି ଶାସକ ମେଣ୍ଟ । ଗତ ଏପ୍ରିଲରେ ୫୪ଟି ଭୋଟରେ ଲୋକସଭାରେ କାଟ୍ ଖାଇଥିଲା ଏହି ବିଲ୍ । ହେଲେ ରୋଚକ କଥା ହେଉଛି, ୨ ମାସର ବିଫଳତାକୁ ୨ ସପ୍ତାହରେ ବଦଳାଇ ଦେଇଛି ବିଜେପି । ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଓଡ଼ିଶା ବଦଳାଇବ ଗଣିତ ! ପଶ୍ଚିମବଙ୍ଗରେ ମମତାଙ୍କ ହାତ ଛାଡ଼ିଛନ୍ତି ଟିଏମ୍‌ସିର ୨୦ ସାଂସଦ । ଏନ୍‌ସିପିଆଇରେ ଯୋଡ଼ି ହୋଇ ଏନଡିଏକୁ ସମର୍ଥନ ଦେଇଛନ୍ତି । ମହାରାଷ୍ଟ୍ରରେ ୟୁବିଟିର ୬ ସାଂସଦ ଉଦ୍ଧବଙ୍କୁ ଛାଡ଼ି ଏକନାଥ ସିନ୍ଦେଙ୍କ ଶିବସେନା ସହିତ ହାତ ମିଳାଇବା ନେଇ ଚର୍ଚ୍ଚା ଜୋର୍ ଧରିଛି । ତାମିଲନାଡ଼ୁରେ ଷ୍ଟାଲିନ୍ ଇଣ୍ଡିଆ ବ୍ଲକ୍‌ ଠାରୁ ଦୂରେଇବା ପରେ ଏନଡିଏ ନିକଟତର ହେଉଛନ୍ତି । ଡିଏମ୍‌କେ ହାତ ମିଳାଇଲେ ଲୋକସଭାରେ ମିଳିବ ୨୨ ସାଂସଦଙ୍କ ସମର୍ଥନ । ଲୋକସଭାରେ ଏବେ ୫୪୦ ସାଂସଦ ଥିବାରୁ, ବିଲ୍‌କୁ ଦରକାର ଦୁଇ ତୃତୀୟାଂଶ ସଦସ୍ୟ ଅର୍ଥାତ୍ ୩୬୦ ସମର୍ଥନ । ତେଣୁ ବିଦ୍ରୋହୀ ଟିଏମ୍‌ସିର ୨୦, ଡିଏମ୍‌କେର ୨୨ ଓ ୟୁବିଟି ୬ ଭୋଟ୍‌କୁ ମିଶାଇ ନୂଆ ୪୮ ଭୋଟ୍ ଯାଇପାରେ ଏନ୍‌ଡିଏ ଖାତାକୁ । ଏନ୍‌ଡିଏ ଆଉ ୬ ଭୋଟ୍ ଆବଶ୍ୟକ କରୁଛି ଲୋକସଭାରେ । ଏନ୍‌ଡିଏର ରାଜ୍ୟସଭା ଗଣିତ ବି ବଦଳିଯାଇଛି । ରାଜ୍ୟସଭାରେ ୨୫୦ ଆସନରେ ସଭ୍ୟ ଅଛନ୍ତି ୨୪୫ । ଦିଲ୍ଲୀରେ ଆପ୍ ବିଦ୍ରୋହ ପରେ, ଏନ୍‌ଡିଏ ସପକ୍ଷରେ ଅଛନ୍ତି ୧୫୦ ସାଂସଦ । ଡିଏମ୍‌କେ ସମର୍ଥନ ଦେଲେ ଯୋଡ଼ି ହେବେ ଅଧିକ ୮ ସାଂସଦ । ତୃଣମୂଳ କଂଗ୍ରେସର ୩ ରାଜ୍ୟସଭା ସାଂସଦ ଦେଇଛନ୍ତି ଇସ୍ତଫା । ଏହା ସହିତ ବିଭିନ୍ନ ଛୋଟ ଦଳ ସହିତ ଆଲୋଚନା ଚଳାଇଛି ବିଜେପି । ଓଡ଼ିଶାରେ ବି ବିଜେଡିରୁ ଦେବାଶିଷ ସାମନ୍ତରାୟଙ୍କୁ ହାତେଇବାରେ ସଫଳ ହୋଇଛି ଦଳ । ତେଣୁ ରାଜ୍ୟସଭାରେ ଦୁଇ ତୃତୀୟାଂଶ ଅଙ୍କ ଛୁଇଁବା କଷ୍ଟକର ହେବନି । ଏହି ବିଲ୍ ପାସ୍ ହେଲେ ଆଗକୁ ଦେଶବ୍ୟାପୀ ବଦଳିଯିବ ନିର୍ବାଚନମଣ୍ଡଳୀ ଚିତ୍ର । ମହିଳା ସଂରକ୍ଷଣ ସହିତ ନିର୍ବାଚନମଣ୍ଡଳୀର ସୀମା ବି ବଦଳିବ ।

 

Leave a Reply

Your email address will not be published. Required fields are marked *