ଓଡିଶାର ଗଣ ପର୍ବ ରଜ
ଓଡ଼ିଶାରେ କୃଷିଭିତ୍ତିକ ପରମ୍ପରାର ପର୍ବ ହେଉଛି ରଜ। ଏହି ପର୍ବରେ ପ୍ରକୃତି ଓ ନାରୀଙ୍କୁ ସମ୍ମାନ ଦିଆଯାଇଥାଏ ଉତ୍କଳୀୟ ସଂସ୍କୃତିରେ ବାରମାସରେ ତେର ପର୍ବ। ଏପରିକି ଆମ ଓଡ଼ିଆଙ୍କ ଆରାଧ୍ୟ କାଳିଆ ଠାକୁର ମଧ୍ୟ ଏହିସବୁ ପର୍ବ ପାଳନ୍ତି। ରଜ ପର୍ବ ସବୁପର୍ବ ଠାରୁ ଅନନ୍ୟ ଏହାର ସଂସ୍କୃତି ଅଦ୍ୱିତୀୟ। ଉତ୍କଳବାସୀ ପର୍ବ ପାଳିଥାନ୍ତି ପ୍ରକୃତିର ପରିବର୍ତ୍ତନକୁ ନେଇ। ମାଟି, ପାଣି, ପବନ, ଆକାଶ, ନିଆଁ ଏସବୁ ସୃଷ୍ଟିର ମୂଳତତ୍ତ୍ୱ ଏବଂ ଆମେ ଏହି ସବୁକୁ ନେଇ ଉତ୍ସବ ମନାଉ। ଆମ ଭାରତୀୟ ସଭ୍ୟତାରେ ପ୍ରକୃତିକୁ ନାରୀର ଆଖ୍ୟା ଦିଆଯାଇଛି, କାରଣ ଏହା ଆମ ମାଆ ପରି ଆମକୁ ସୃଷ୍ଟି କରିଛି। ଆଦ୍ୟ ଆଷାଢ଼ରେ ବର୍ଷା ଆରମ୍ଭ ହେବା ସମୟରେ ଧରିତ୍ରୀ ନିଜକୁ ଆଗାମୀ ଦିନରେ ଫସଲ ଉପାର୍ଜନ ପାଇଁ ପ୍ରସ୍ତୁତ କରିଥାଏ। ଠିକ ଯେପରି ଗୋଟିଏ ଝିଅର ମାସିକ ଋତୁସ୍ରାବ ଆରମ୍ଭ ହେବା ପରେ ସେ ସନ୍ତାନ ସମ୍ଭବା ହୋଇଗଲା ବୋଲି ଆମେ ଜାଣୁ ସେହିପରି ଏହି ସମୟରେ ଆମ ମାଟି ମାଆ ନିଜକୁ ଆଗାମୀ ଦିନରେ ସନ୍ତାନ ସମ୍ଭବା କରିବା ପାଇଁ ବିଶ୍ରାମରେ ଯାଉଥିବାରୁ ଏହି ସମୟରେ ଆମ ଭୂମି ମାତା ବା ପୃଥିବୀ ମାଆ ରଜବତୀ ବୋଲି ବୁଝାଯାଏ।ଏଣୁ ରଜ ଆମ ନାରୀତ୍ୱକୁ ଉତ୍ସବ ପରି ମନାଇବାକୁ ଦିଏ। ଜଣେ ନାରୀର ମାସିକ ଧର୍ମ ବା ରଜବତୀ ହେବାକୁ ସମାଜ ଏକ ଘୃଣ୍ୟ ନାମ ଦେଇଥିବା ବେଳେ ଏହା ଯେ ସୃଷ୍ଟିର ଆରମ୍ଭ, ତାହା ଏହି ପର୍ବ ଆମକୁ ସୂଚାଇଥାଏ। ଓଡ଼ିଶାର ଗଣପର୍ବ, ଅର୍ଥାତ୍ ଏଥିରେ ସାମାଜିକ ଭାବେ ଲୋକମାନେ ସାମିଲ ହୋଇ ମଉଜ କରନ୍ତି। ରଜର ବିଶେଷତ୍ୱ ବିଷୟରେ କହିଲେ ଅନେକ କଥା ଆସେ। ଏହା ଜ୍ୟେଷ୍ଠ ଓ ଆଷାଢ଼ର ସନ୍ଧିକ୍ଷଣରେ ପଡ଼ୁଥିବାରୁ ଆମେ ଏହି ସମୟରେ ଆଷାଢ଼ ମାସ ବା ବର୍ଷାକୁ ସ୍ୱାଗତ କରିଥାଉ। ତେଣୁ ଏହା ପୁରୁଣା ଋତୁକୁ ବିଦାୟ ଦେଇ ନୂଆକୁ ସ୍ୱାଗତ କରିବାର ଏକ ପର୍ବ। ବ୍ୟବହାରିକ ଭାବେ ଦେଖିଲେ ଭୂଦେବୀ ଓ ଶ୍ରୀଦେବୀ ହେଲେ ପ୍ରକୃତି ଓ ମହାପ୍ରଭୁ ହେଲେ ପୁରୁଷ। ଏ ବ୍ରହ୍ମାଣ୍ଡ ସର୍ବଦା ପ୍ରକୃତି ଓ ପୁରୁଷର ମିଳନର ସମ୍ମାନ ଦେଇଛି। ସେଥିପାଇଁ ଆମ ମହାପ୍ରଭୁ ନିଜ ପାଖରେ ପ୍ରକୃତି ରୂପି ଭୂଦେବୀ ଓ ଧନର ପ୍ରତୀକ ଶ୍ରୀଦେବୀଙ୍କୁ ବସାଇଥାଆନ୍ତି। ରଜ ସମୟରେ ଆମର ସବୁ ଦେବୀମାନେ ମଧ୍ୟ ରଜବତୀ ବା ରଜସ୍ୱାଳା ହୋଇଥିବା କୁହାଯାଏ। ତିନି ଦିନ ପରେ ବସୁମତୀ ସ୍ନାନ ଦିନ ଅତ୍ୟନ୍ତ ଆଡ଼ମ୍ୱରରେ ସମସ୍ତଙ୍କ ସ୍ନାନ ହୁଏ। ଏଣୁ ଆମେ ଘରେ ଆମ ଝିଅ ବୋହୁମାନଙ୍କୁ ବି କଠିନ କାର୍ଯ୍ୟ ପାଇଁ ମନା କରୁ।
ଝିଅ ବୋହୁମାନେ ନୂଆ ଲୁଗା ପିନ୍ଧନ୍ତି, ରଜର ମୁଖ୍ୟ ଖାଦ୍ୟ ପାନ ଓ ପୋଡ଼ ପିଠା ଖାଇ ଦୋଳିରେ ଝୁଲନ୍ତି। ଦୋଳିରେ ଝୁଲିବାର ଧାରଣା ରହିବାର କାରଣ ହେଲା, ଏହି ସମୟରେ ଆମେ ଧରିତ୍ରୀମାଆକୁ କଷ୍ଟ ନ ଦେବା ତଥା ନିଜେ ଝିଅମାନେ ବିଶ୍ରାମ ନେବା ଉଦ୍ଦେଶ୍ୟରେ ଭୂମିରେ ପାଦ ନ ରଖି ଦୋଳିରେ ଝୁଲିବା। ରଜରେ ପୋଡ଼ପିଠା ଖାଇବା ପଛରେ ଥିବା ବୈଜ୍ଞାନିକ ତତ୍ତ୍ୱ ହେଲା ଏହା ଚାଉଳ ଚୁନାରୁ ପ୍ରସ୍ତୁତ। ବିଭିନ୍ନ ପୌଷ୍ଟିକ ଉପାଦାନ ଯେପରିକି ନଡ଼ିଆ, ଗୁଡ଼ ଆଦି ଦିଆଯାଇ ଅଳ୍ପ ଆଞ୍ଚରେ ଅଧିକ ସମୟ ଧରି ମାଟି ହାଣ୍ଡି ଭିତରେ ପ୍ରସ୍ତୁତ ହୋଇଥିବା ଏକ ପିଠା। ଆଜିକାଲି ପୋଡ଼ପିଠା କହିଲେ ଅନେକ ପ୍ରକାର ପୋଡ଼ପିଠା ମିଳୁଛି। କିନ୍ତୁ ଚାଉଳ ଚୁନା, ଗୁଡ଼ ଓ ନଡ଼ିଆ ପାତି ଦିଆଯାଇ ପୁରୁଣା ସମୟରେ ଜେଜେମା ଓ ବୋଉ ଦ୍ୱାରା ପ୍ରସ୍ତୁତ ସେ ପିଠାର ସ୍ୱାଦ ଆଉ ମିଳୁନି। କ୍ଷୀର ପୋଡ଼ ପିଠା, ବିରି ପୋଡ଼ ପିଠା, ସୁଜି ପୋଡ଼ ପିଠା, ଇତ୍ୟାଦି ଅନେକ ପ୍ରକାର ଉପାୟରେ ପୋଡ଼ପିଠା ବନାଇ ଦେଉଛନ୍ତି ଆଜିକାଲି ଗୃହିଣୀମାନେ। ଏହା ଛଡ଼ା ଆଜିକାଲି ଆଉ ଚୁଲି ଉପରେ ନ ରଖି ସହର ବଜାରରେ ଓଭନ୍ ବ୍ୟବହୃତ ହେଲାଣି। କିନ୍ତୁ ସ୍ୱାଦ ଆଉ ପୂର୍ବ ଭଳି ନାହିଁ। । ରଜରେ ସାମାଜିକ ମିଳାମିଶା ବଢାଇବାକୁ ବିଭିନ୍ନ ଖେଳ ଓ ରଜ ଦୋଳି ଆଦି ଆୟୋଜନ କରି ନୂଆ ଋତୁକୁ ସ୍ୱାଗତ କରିବା।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟଙ୍କର ମିଥୁନ ରାଶିକୁ ଗମନ କରିବା ହେଉଛି ରଜ ସଂକ୍ରାନ୍ତି ଏହି ସମୟରେ ସୂର୍ଯ୍ୟ ‘ମୃଗଶିରା’ ନକ୍ଷତ୍ରରେ ପ୍ରବେଶ କରନ୍ତି ଏହି ଦିନଠାରୁ ଆରମ୍ଭ ହେଉଥିବା ୩ ଦିନ ପୃଥିବୀ ମାତାଙ୍କୁ ଋତୁମତୀ ଓ ଫଳବତୀ ହେବାର ସମୟ ଭାବରେ ବିଶ୍ୱାସ କରାଯାଇ, କୌଣସି ପ୍ରକାର କୃଷି କାର୍ଯ୍ୟ କରାଯାଏ ନାହିଁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ପର୍ବର ବିଶେଷତା ହେଉଛି ଋତୁ ପରିବର୍ତ୍ତନର ସୂଚକ ସୂର୍ଯ୍ୟ ମିଥୁନ ରାଶିକୁ ପ୍ରବେଶ କରିବା ଦ୍ୱାରା ପ୍ରକୃତିରେ ବର୍ଷାଋତୁର ଆଗମନ ହୋଇଥାଏ।

