ହାତରେ ଚାଲି ଏଭରେଷ୍ଟ ଚଢ଼ିଲେ ରୁଷ୍ ପର୍ବତାରୋହୀ
ନୂଆଦିଲ୍ଲୀ,୨୩|୫: ହାତରେ ଚାଲି ଏଭରେଷ୍ଟ ଚଢ଼ିଲେ ରୁଷ୍ ପର୍ବତାରୋହୀ ରୁସ୍ତମ ନାବିଏଭ। ପର୍ବତାରୋହଣର ଇତିହାସରେ ପ୍ରଥମ ଥର ପାଇଁ ହାତ ସାହାଯ୍ୟରେ ଏଭରେଷ୍ଟ ଶିଖରରେ ପହଞ୍ଚିଛି ସେ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଅନନ୍ୟ ଉପଲବ୍ଧିକୁ ସେ ସମସ୍ତଙ୍କୁ ଉତ୍ସର୍ଗ କରିଛନ୍ତି। ଦୁର୍ଘଟଣାରେ ସେ ଗୋଡ଼ ଦୁଇଟି ହରାଇଥିବା ସତ୍ତ୍ବେ ଭାଙ୍ଗି ପଡ଼ି ନଥିଲେ। ରୁସ୍ତମ ନାବିଏଭ ରୁଷ୍ ସେନାରେ ପାରାଟ୍ରୁପର ଭାବେ କାର୍ଯ୍ୟ କରୁଥିଲେ । ୨୦୧୫ର ଏକ ଦୁର୍ଘଟଣା ତାଙ୍କ ଜୀବନକୁ ବଦଳାଇଦେଲା । ସେ ଶୋଇଥିବାବେଳେ ତାଙ୍କ ବାରାକ୍ର ବିଲ୍ଡିଂ ଭୁଶୁଡ଼ି ପଡିଲା । ସେହି ଦୁର୍ଘଟଣାରେ ଅନେକ ସୈନିକ ପ୍ରାଣ ହରାଇଥିଲେ । ସୌଭାଗ୍ୟକୁ ବର୍ତ୍ତିଗଲେ ନାବିଏଭ । କିନ୍ତୁ ତାଙ୍କୁ ଦୁଇ ଗୋଡ଼ ହରାଇବାକୁ ପଡିଲା । ଏହାସତ୍ତ୍ବେ ସେ ହାର ମାନିଲେ ନାହିଁ । ବରଂ ନିଜକୁ ଆହୁରି ମଜଭୁତ କରିବାକୁ ଦୃଢ଼ ସଂକଳ୍ପ ନେଲେ । ପର୍ବତାରୋହଣ ଲାଗି ଏକଦା ଦେଖିଥିବା ସ୍ୱପ୍ନକୁ ପୂରା କରିବାକୁ ଚିନ୍ତା କଲେ । ସେଥିଲାଗି ଦୁଇହାତରେ ପାହାଡ଼ ଚଢ଼ା ଅଭ୍ୟାସ କଲେ । ପ୍ରଥମେ ସେ ମାଉଣ୍ଟ ଏଲବ୍ରଶ, ମାଉଣ୍ଟ ମନାସ୍ଲୁ ଭଳି ଛୋଟ ପାହାଡ଼ ଆରୋହଣ କଲେ । ସେଥିଯୋଗୁ ତାଙ୍କର ଆତ୍ମବିଶ୍ୱାସ ବଢ଼ିଗଲା । ଚଳିତବର୍ଷ ଆହୁରି ବଡ଼ ସ୍ୱପ୍ନ ଏଭରେଷ୍ଟ ଆରୋହଣ ଲାଗି ସେ ନେପାଳରେ ପହଞ୍ଚିଲେ । ପୂରା ଏପ୍ରିଲ ମାସ ଏବଂ ମେ ମାସର ଅଧା ଯାଏ ଏଥିଲାଗି ତାଙ୍କର ଜୋରଦାର ପ୍ରସ୍ତୁତି ଚାଲିଲା । ଶେଷରେ ମେ ୨୦ରେ ନିଜର ୩୪ତମ ଜନ୍ମଦିନରେ ସେ ହାତ ସାହାଯ୍ୟରେ ଏଭରେଷ୍ଟ ଶିଖରରେ ପହଞ୍ଚି ରେକର୍ଡ ସ୍ଥାପନ କରିଛନ୍ତି । ସେ କହିଛନ୍ତି, ଯେବେ ଯାଏ ଆପଣଙ୍କ ମଧ୍ୟରେ ଜୀବନ ଅଛି, ଦୟାକରି ଲଢ଼ନ୍ତୁ । ଶେଷ ଯାଏ ଲଢ଼ନ୍ତୁ । ସେହି ଲଢ଼ିବାର ଅନେକ ମୂଲ୍ୟ ଅଛି ।’ ରୁଷ୍ର ପର୍ବତାରୋହୀ ରୁସ୍ତମ ନାବିଏଭ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ସହ ଏହି ଭାବପ୍ରବଣ ବାର୍ତ୍ତାକୁ ପୋଷ୍ଟ କରିଥିଲେ । ଏହାପରେ ତାଙ୍କର ପ୍ରେରଣାପ୍ରଦ କାହାଣୀ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ପରିସ୍ଥିତି ଆଗରେ ମୁଣ୍ଡ ନ ନୁଆଁଇ ସେ ଯେପରି ନିଜର ସଫଳତାର କାହାଣୀକୁ ଲେଖିଛନ୍ତି ସେଥିଲାଗି ଅନେକ ତାଙ୍କୁ ଶୁଭକାମନା ଜଣାଇଛନ୍ତି ।

