ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟା ମାମଲା , ଗିରଫ ସଞ୍ଜୟ ରାୟଙ୍କୁ ରିମାଣ୍ଡରେ ନେଲା ସିବିଆଇ
ନୂଆଦିଲ୍ଲୀ, ୨୩|୫ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ଗିରଫ ହୋଇଥିବା ସଞ୍ଜୟ ରାୟଙ୍କୁ ସିବିଆଇ ୧୦ ଦିନିଆ ରିମାଣ୍ଡରେ ନୂଆଦିଲ୍ଲୀ ନେଇଛି। କୋର୍ଟଙ୍କ ନିର୍ଦ୍ଦେଶ ପରେ, ସିବିଆଇ ଟିମ୍ ସଞ୍ଜୟ ରାୟଙ୍କୁ ଦିଲ୍ଲୀ ନେଇଛି। ସେ ମୂଳତଃ ଉତ୍ତର ପ୍ରଦେଶର ଦିଲଦାରନଗର ଥାନା ଅଞ୍ଚଳର ଜମାନିଆର ବାସିନ୍ଦା ଏବଂ ବିହାରର ବକ୍ସର କେନ୍ଦ୍ରୀୟ ଜେଲରେ ବନ୍ଦୀ ଥିଲେ। ବକ୍ସର ସେଣ୍ଟ୍ରାଲ ଜେଲର ସହକାରୀ ସୁପରିଣ୍ଟେଣ୍ଡେଣ୍ଟ ରାଘବେନ୍ଦ୍ର ପ୍ରତାପ ସିଂହ କହିଛନ୍ତି ଯେ, ସଞ୍ଜୟ ରାୟଙ୍କୁ କୋଲକାତା ଏସଟିଏଫ ନୁହେଁ, ବରଂ ଦିଲ୍ଲୀ ସିବିଆଇ ଟିମ୍ ନିଜ ସହ ଦିଲ୍ଲୀ ନେଇ ଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜେଲ ପ୍ରଶାସନକୁ ସୂଚନା ମିଳିଛି ଯେ, ଏହି ମାମଲା ପଶ୍ଚିମବଙ୍ଗର ନେତା ଶୁଭେନ୍ଦୁ ଅଧିକାରୀଙ୍କ ପିଏ ଚନ୍ଦ୍ରନାଥ ରଥଙ୍କ ହତ୍ୟା ସହିତ ଜଡିତ। ରାଜପୁର ଥାନା ପ୍ରଭାରୀ ନିବାସ କୁମାର କହିଛନ୍ତି ଯେ, ସଞ୍ଜୟ ରାୟଙ୍କୁ ୧୦-୧୨ ଦିନ ପୂର୍ବେ ବକ୍ସର-ଉତ୍ତର ପ୍ରଦେଶ ସୀମା ସ୍ଥିତ ଶାୟର ଘାଟ ଅଞ୍ଚଳରୁ ମଦ ସହ ଗିରଫ କରାଯାଇ ଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ଜେଲ ପଠାଯାଇ ଥିଲା। ପୋଲିସକୁ ଏହି ହତ୍ୟା ମାମଲାରେ ତାଙ୍କର ସଂପୃକ୍ତି ଥିବା ସୂଚନା ମିଳିଛି, ସମଗ୍ର ଜିଲ୍ଲାରେ ସତର୍କତା ବୃଦ୍ଧି କରାଯାଇଛି। ରିପୋର୍ଟ ଅନୁସାରେ , ସଞ୍ଜୟ ରାୟ ହତ୍ୟାକାଣ୍ଡ ମାମଲାରୁ ଧ୍ୟାନ ହଟାଇବା ପାଇଁ ନିଜକୁ ମଦ ମାମଲାରେ ଗିରଫ କରାଇବାର ରଣନୀତି ଆପଣାଇ ଥିଲେ। ଉକ୍ତ ହତ୍ୟାକାଣ୍ଡରେ ଏବେ ସୁଦ୍ଧା ବକ୍ସର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ତିନି ଜଣଙ୍କୁ ଗିରଫ କରାଯାଇଛି। ଏହା ପୂର୍ବରୁ, ମେ ୧୧ ତାରିଖରେ, ବଙ୍ଗଳା ଏଟିଏଫ ବକ୍ସରରୁ ଭିକି ମୌର୍ଯ୍ୟ ଏବଂ ମୟଙ୍କ ମିଶ୍ରାଙ୍କୁ ଗିରଫ କରି ଥିଲା। ଅନ୍ୟପଟେ, ଉତ୍ତର ପ୍ରଦେଶର ଅଟଳ ନାମକ ବ୍ୟକ୍ତିଙ୍କୁ ମଧ୍ୟ ହେପାଜତକୁ ନେଇ ପଚରାପଚରି ପାଇଁ କୋଲକାତା ନିଆଯାଇ ଥିଲା। ଅଧିକାରୀଙ୍କ ଅନୁସାରେ , ସିବିଆଇ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ଶୈଳେଶ କୁମାର ପାଣ୍ଡେଙ୍କ କୋର୍ଟରେ ଆବେଦନ ଦାଏର କରିଥିଲା, ଯେଉଁଥିରେ ମେ ୬ ତାରିଖରେ ହୋଇ ଥିବା ହତ୍ୟା ମାମଲାରେ ଜବତ ଅସ୍ତ୍ରଶସ୍ତ୍ରକୁ ହସ୍ତାନ୍ତର କରିବାକୁ ଏକ ଆବେଦନ ଦାଖଲ କରିଥିଲା, ଯାହା ଦ୍ୱାରା ସେଗୁଡ଼ିକୁ ପରୀକ୍ଷା ପାଇଁ ଫୋରେନସିକ୍ ଲାବୋରେଟୋରୀକୁ ପଠାଯାଇ ପାରିବ।

